ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ

ଗଞ୍ଜାମ ଜିଲାର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ରାଜ୍ୟ ବାର୍‌ କାଉନସିଲ ତୀବ୍ର ନିନ୍ଦା କରିଛି। ପୀତବାସଙ୍କ ହତ୍ୟା ପ୍ରତିବାଦରେ ୮ ତାରିଖ ତଥା ବୁଧବାର ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିବାକୁ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି। ପୀତବାସଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ସହ ଦୋଷୀଙ୍କୁ ଗିରଫ ଓ ଘଟଣାର ନ୍ୟାୟିକ ତଦନ୍ତ କରାଯିବାକୁ ବାର୍‌ କାଉନସିଲ ପକ୍ଷରୁ ଏକ ବିବୃତି ଜରିଆରେ ଦାବି କରାଯାଇଛି।

ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଓ ସମ୍ପାଦକ ଜେ.କେ. ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ବାର୍‌ କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ପୀତବାସଙ୍କୁ ଦୁଇଜଣ ଅଜଣା ଯୁବକ ତାଙ୍କ ଘର ସାମ୍ନାରେ ଯେଭଳି ଅମାନୁଷିକ ଭାବେ ଗୁଳି କରି ହତ୍ୟା କଲେ ତା’ର ପ୍ରତିବାଦରେ ରାଜ୍ୟବ୍ୟାପୀ ଆଇନଜୀବୀ କଲମଛାଡ଼ ଆନ୍ଦୋଳନ କରିବେ। ରାଜ୍ୟର ସବୁ ବାର୍‌ର ଆଇନଜୀବୀ ଏହି କାର୍ଯ୍ୟରୁ ନିବୃତ ରହିବା ସ୍ୱର୍ଗତ ପୀତବାସଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ରାଜ୍ୟ ବାର୍‌ କାଉନସିଲ ଦଳର ପ୍ରତିନିଧିଗଣ ବ୍ରହ୍ମପୁର ଗସ୍ତ କରି ଫେରିବା ପରେ ସେ କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ଦୋଷୀକୁ ଗିରଫ କରିବା ସହିତ ଏକ କୋଟି ଟଙ୍କା ପ୍ରଦାନ କରନ୍ତୁ। ଏହି ଘଟଣାରେ ଭୁବନେଶ୍ବର ବାର୍‌ ଆସୋସିଏସନ ପକ୍ଷରୁ ଜାରି ପ୍ରେସ୍‌ ବିବୃତି ଜରିଆରେ ଆସନ୍ତାକାଲି କଲମ ଛାଡ଼ ଆନ୍ଦାଳନ କରାଯିବା ସହ ଅପରାହ୍ଣରେ ଆସୋସିଏସନ୍‌ କୋଠା ସମ୍ମୁଖରେ ମହମବତି ଶୋଭାଯାତ୍ରା କରାଯିବ ବୋଲି ସୂଚନା ଦିଆଯାଇଛି।

Leave a comment