ଶତାୟୁ ପି.ଏମ୍.ଶ୍ରୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ବିଦ୍ୟାଳୟକୁ ୧କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କଟକ ଜିଲ୍ବା ବଙ୍କୀର ଶତାୟୁ ପି.ଏମ୍.ଶ୍ରୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ବିଦ୍ୟାଳୟର ଆଜି ଶତବାର୍ଷିକୀ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ମୁଖ୍ୟଅତିଥି ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ବାଙ୍କୀ ମାଟିର ଏହି ଶତାୟୁ ବିଦ୍ୟାଳୟ ଆଜି ୧୦୪ବର୍ଷରେ ପଦାର୍ପଣ କରିବା ସହ ଏହାର ଐତିହ୍ୟ ଗାରିମା ସାରା ରାଜ୍ୟରେ ପରିଚିତ ବୋଲି କହିଥିଲେ। ଏହି ବିଦ୍ୟାଳୟର ଐତିହ୍ୟ ପ୍ରାଚୀନ ଗୁରୁକୁଳ ଶିକ୍ଷା ପ୍ରଦାନ କରାଯାଉଥିଲା ଓ ଏହାର ବହୁ ଛାତ୍ରଛାତ୍ରୀ ସାରା ଦେଶ ଓ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।
ଚଳିତ ବର୍ଷ ୨୦ହଜାର ନିୟମିତ ଶିକ୍ଷକ ରାଜ୍ୟରେ ନିଯୁକ୍ତି ଦିଆଯାଇଛି ଓ ଆଗାମୀ ବର୍ଷରେ ୪୫ହଜାର ନିୟମିତ ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରୟାସ ଜାରି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ବିଦ୍ୟାଳୟର ୧୦ଜଣ ପୁରାତନ ଛାତ୍ର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହେବା ଏକ ଗୌରବ ବିଷୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।ଚଳିତ ବର୍ଷ ଠାରୁ ରାଜ୍ୟରେ ନୂତନ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଶିକ୍ଷା ଦିଆଯାଉଛି ଓ ଏହା ନୈତିକ ମୂଲ୍ୟବୋଧର ଶିକ୍ଷା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ବାଙ୍କୀ ଏନ୍.ଏ.ସିକୁ ପୌର ପରିଷଦର ମାନ୍ୟତା ଦେବାପାଇଁ ଜିଲ୍ଲାପାଳଙ୍କୁ ଅନୁଧ୍ୟାନ କରିବା ପାଇଁ ଦାୟିତ୍ୱ ପ୍ରଦାନ କରିଥିଲେ। ଏହି ଶତାୟୁ ବିଦ୍ୟାଳୟକୁ ୧କୋଟି ଅନୁଦାନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟବକ୍ତା ଭାବେ କଟକ ସାଂସଦ ଭର୍ତ୍ତୁହରି ମହତାବ ଯୋଗଦେଇ ବର୍ତ୍ତମାନ ସରକାର ଶିକ୍ଷାପ୍ରତି ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଡଃ. ଦେବାଶିଷ ପଟ୍ଟନାୟକ, ନଗରପାଳ ମାଣିକ ସାହୁ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ। ଏହି ସଭାରେ ପ୍ରାକନ୍ତ ଛାତ୍ର ଶୁଭ୍ରାଂଶୁ ମୋହନ ପାଢ଼ୀ ଶତବାର୍ଷିକ କମିଟି ସଭାପତି ଭବାନୀ ପ୍ରସାଦ ପଣ୍ଡିତ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ଦାଶ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଶ୍ରୀନିବାସ ବେହେରା ଓ ବିଜୟ ତ୍ରିପାଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଏହି ଅବସରରେ ପୂର୍ବତନ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା, ଦେବାଶିଷ ହାଜରା, ଫକୀର ମୋହନ ମିଶ୍ର, ଡାକ୍ତର ପ୍ରଶାନ୍ତ ପଣ୍ଡା , ଇଂ.ପ୍ରସନ୍ନ କୁମାର ପଣ୍ଡା ଏବଂ ବାଉରୀବନ୍ଧୁ ନନ୍ଦଙ୍କ ତରଫରୁ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମାନପତ୍ର ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମାଟ୍ରିକ ବାର୍ଷିକ ପରୀକ୍ଷା-୨୦୨୫ରେ ସର୍ବୋର୍ଚ୍ଚ ନମ୍ବର ରଖିଥିବା ଶଶିକାନ୍ତ ନାୟକଙ୍କୁ ୩୦ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଶିକ୍ଷାବିତ୍ନ ସ୍ୱର୍ଗତ ରଘୁନାଥ ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଶତବାର୍ଷିକ ସ୍ମରଣିକା ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଶେଷରେ ପ୍ରାକ୍ତନ ଛାତ୍ର ସରୋଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ।