ଟ୍ରମ୍ପ୍ଙ୍କୁ ଭେଟିବା ପାଇଁ ଓ୍ବାଶିଂଟନ୍ ଗସ୍ତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଭେଟିବା ପାଇଁ ଓ୍ବାଶିଂଟନ୍ ଗସ୍ତ କରିବେ। ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କରେ ଥିବା ଶେହବାଜ ଓ ଟ୍ରମ୍ପ୍ଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି। ଆଲୋଚନା ପରେ ଶେହବାଜ ହ୍ବାଇଟ୍ ହାଉସ୍ରୁ ପୁଣି ନ୍ୟୁୟର୍କକୁ ଫେରିବେ। ୨୦୧୯ ପରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଜଣେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସାକ୍ଷାତ୍ ହେବାକୁ ଯାଉଛି। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ନିଜ ଶାସନ କାଳରେ ପାକିସ୍ତାନକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ। ତେବେ ଗତ ଜାନୁଆରୀରେ ଟ୍ରମ୍ପ୍ ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପାକିସ୍ତାନ-ଆମେରିକା ସମ୍ପର୍କରେ ନାଟକୀୟ ପରିବର୍ତ୍ତନ ଆସିଛି। ଗତ ଜୁନ୍ରେ ଟ୍ରମ୍ପ୍ ହ୍ବାଇଟ୍ ହାଉସ୍ରେ ପାକିସ୍ତାନୀ ସେନାମୁଖ୍ୟ ଆସିମ୍ ମୁନିରଙ୍କୁ ରାତ୍ରିଭୋଜନରେ ଆପ୍ୟାୟିତ କରିଥିଲେ।