୨୭ ତାରିଖରୁ ଠାରୁ ଆରମ୍ଭ ହେବାକୁ ଯାଉଛି ଓଟିଇଟି ପରୀକ୍ଷା

 ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା ଆସନ୍ତା ୨୭ ତାରିଖରୁ ଠାରୁ ଆରମ୍ଭ ହେବାକୁ ଯାଉଛି । ପ୍ରଶ୍ନପତ୍ର ସହ ପରୀକ୍ଷା ପରିଚାଳନା ସୁରକ୍ଷିତ ଭାବେ କରିବା ପାଇଁ ବୋର୍ଡ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି  । ପ୍ରଶ୍ନ ପତ୍ର ଲିକ୍ ନହେବା ଲାଗି ପ୍ରଶ୍ନପତ୍ରରେ ୱାଟର ମାର୍କ ଏବଂ ପ୍ରତି ପ୍ରଶ୍ନରେ ସିରିଏଲ କୋଡ୍‌ ନମ୍ୱର ରହିଛି । ଏହାଦ୍ବାରା ପ୍ରଶ୍ନପତ୍ର ଲିକ୍ ହେଲେ କେଉଁ ସେଣ୍ଟର କିମ୍ବା ଏବଂ କାହାଠାରୁ ଲିକ୍ ହେଲା ଜାଣିହେବ । ପ୍ରଶ୍ନପତ୍ର ସେଣ୍ଟରକୁ ଯିବାବେଳେ, ଟିଣ ବାକ୍ସରେ ଦୁଇଟି ମାନୁଆଲ ଚାବି ସହିତ ଡିଜିଟାଲ ଲକ୍ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ବୋର୍ଡରୁ ଯିବା ଠାରୁ ସେଣ୍ଟରରେ ଅଧିକାରୀ ଗ୍ରହଣ କରିବା ପର୍ଯ୍ୟନ୍ତ ଜିପିଏସ ଟ୍ରାକିଂରେ ରହିବ । ସେଣ୍ଟର ସୁପରିଟେଣ୍ଡ ପ୍ରଶ୍ନପତ୍ର ଗ୍ରହଣ କରିବା ପରେ ଏହାକୁ ଷ୍ଟ୍ରଙ୍ଗ ରୁମରେ ସିସିଟିଭି କଭରେଜରେ କଡା ସୁରକ୍ଷା ଭିତରେ ରଖାଯିବ । ବୋର୍ଡ କାର୍ଯ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ ମାଧ୍ୟମରେ ପୂରା ପକ୍ରିୟାକୁ ଟ୍ରାକ୍ କରାଯିବ । ଆଜିଠାରୁ  ବୋର୍ଡ କାର୍ଯ୍ୟାଳୟଠାରୁ ଦୂରରେ ଥିବା ସେଣ୍ଟରକୁ ପ୍ରଶ୍ନପତ୍ର ଯିବା ପକ୍ରିୟା ଆରମ୍ଭ ହେବ । ଗୁରୁବାର ୨୪ଟି ସ୍ଥାନକୁ ଏବଂ ୨୬ ତାରିଖରେ ବଳକା ସବୁ ସେଣ୍ଟରକୁ ପ୍ରଶ୍ନ ପତ୍ର ପହଞ୍ଚିବ । ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ୧୯୩ଟି ସେଣ୍ଟରରେ ୭୫ ହଜାର ୪୦୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର ଅନିୟମିତତା ଯୋଗୁଁ ପରୀକ୍ଷାରେ ବିଭ୍ରାଟ ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତରେ ବୋର୍ଡ ଉପସଭାପତି ସମେତ ୮ ଜଣ ଗିରଫ ହୋଇଥିଲେ । ପ୍ରଶ୍ନପତ୍ର କେଳେଙ୍କାରୀ ପରେ ବୋର୍ଡ ପକ୍ଷରୁ ପରୀକ୍ଷା ପରିଚଳନା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

Leave a comment