ବିଜେଡିର ବଡ଼ ଆକ୍ସନ , ଦଳରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର
ବିଜେଡିର ବଡ଼ ଆକ୍ସନ । ଦଳରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ । ନିକଟରେ ସୋସିଆଲ ମିଡିଆ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ । ମହଙ୍ଗା ପଡ଼ିଲା ଧୃତରାଷ୍ଟ୍ର ଓ ଭଣ୍ତ ସନ୍ନ୍ୟାସୀ ଟିପ୍ପଣୀ ଦେବା । ଗୋଟିଏ ପରେ ଗୋଟିଏ ସୋସିଆଲ୍ ମିଡ଼ିଆ ପୋଷ୍ଟ୍ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗି ପଡ଼ିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ନ୍ୟାସୀ ଉପାଖ୍ୟାନ ପରେ ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଥିଲେ ।
ବିଜେଡିର ନୋଟିସ ଜାରି ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ । କହିଛନ୍ତି, ଆତ୍ମସମ୍ମାନ ଓ ସ୍ୱାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ । ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ, ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ । ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଓଡିଶାକୁ ଦୀର୍ଘବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର । ମାଆକୁ ସମ୍ମାନର ଆହ୍ୱାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ । ଜୟ ଜଗନ୍ନାଥ । ମୁଁ ଓଡିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ୍ କରୁନାହିଁ ।
ନିକଟରେ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । କହିଥିଲେ, ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି । ଦଳ ବିରୋଧରେ ମୁହଁ ଖୋଲିଲେ ଆକ୍ସନ ଠିକ୍ ନୁହେଁ । ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର ରାଓ ସୁବିଧାବାଦୀ ନେତା ନୁହନ୍ତି । ସମସ୍ତଙ୍କ କଥା ଶୁଣିବା କଥା । ମତେ ଦଳ ଯାହା କହେ ମୁଁ ଶୁଣେ । ମତେ କେବେ ବି ଦଳରେ ଅଣଦେଖା କରାଯାଇନାହିଁ ।