ହାରିଲା ପାକିସ୍ତାନ କିନ୍ତୁ ବନ୍ଧୁକ ଚଳାଇବା ଢଙ୍ଗରେ ନଜର ଆସିଲେ ପାକ ଖେଳାଳି

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇ ଦେଇଛି ଭାରତ । ୧୭୨ ରନର ଲକ୍ଷ୍ୟକୁ ଭାରତ ୧୮.୫ ଓଭରରେ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୭୪ ରନ, ଶୁବମନ ଗିଲ ୪୭ ରନ ଓ ତିଳକ ବର୍ମା ଅପରାଜିତ ୩୦ ରନ କରିଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ କରିଥିଲା । ଦଳ ପକ୍ଷରୁ ସାହିବଜାଦା ଫରହାନ ୫୮ ରନ କରିଥିବାବେଳେ ଫକର ଜମାନ ୧୫ ରନ କରିଥିଲେ । ସଇମ ଆୟୁବ ୨୧ ରନ କରିଥିବାବେଳେ ମହମ୍ମଦ ନଓ୍ବାଜ ୨୧ ରନ କରିଥିଲେ । ସେହିପରି ସଲମାନ ଆଗା ୧୭ ରନ କରିଥିବାବେଳେ ଫହିମ ଅସରଫ ୨୦ ରନ କରିଥିଲେ । ଭାରତ ପକ୍ଷରୁ ଶିବମ ଦୁବେ ୨ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ତେବେ ଭାରତର ଫିଲଡିଂ ଆଜି ନିରାଶାଜନକ ଥିଲା । ଭାରତୀୟ ଫିଲଡରମାନେ ପ୍ରାୟ ୪ଟି କ୍ୟାଚ ହାତଛଡ଼ା କରିଥିଲେ ।

 

ଭାରତ-ପାକିସ୍ତାନ ସୁପର୍‌-୪ ମ୍ୟାଚ୍‌ ଅବସରରେ ଭାରତୀୟ ଓପନିଂ ଯୋଡ଼ି ଅଭି‌ଷେକ ଶର୍ମା ଓ ଶୁବମନ ଗିଲ୍‌ ନୂଆ ରେକର୍ଡ କରିଛନ୍ତି। ପ୍ରଥମ ଭାରତୀୟ ଯୋଡ଼ି ଭାବେ ପାକିସ୍ତାନ ବିପକ୍ଷରେ ଶତକୀୟ ଭାଗୀଦାରି ଗଢ଼ିଛନ୍ତି। ମାତ୍ର ୯.୫ ଓଭରରୁ ୧୦୫ ରନ୍ ଉଠାଇଥିବା ଏହି ଯୋଡ଼ି ୧୩ ବର୍ଷ ତଳେ ଗୌତମ ଗମ୍ଭୀର ଓ ଅଜିଙ୍କ୍ୟ ରାହାଣେ ସଂଗ୍ରହ କରିଥିବା ୭୭ ରନ୍ ପଛରେ ପଡ଼ିଯାଇଥିଲା। ସେହିଭଳି ଫଖର ଜମାନଙ୍କୁ ବିବାଦୀୟ ଭାବେ କଟ୍‌ ବିହାଇଣ୍ଡ୍‌ କରାଇ ହାର୍ଦିକ ପାଣ୍ଡ୍ୟା ଭାରତର ଅଗ୍ରଣୀ‌‌ ଟ୍ବେଣ୍ଡି-୨୦ ବୋଲରଙ୍କ ତାଲିକାରେ ଦ୍ବିତୀୟକୁ ଉଠିଛନ୍ତି। ଅର୍ଶଦୀପ ସିଂହ ଗତ ମ୍ୟାଚ୍‌ରେ ୧୦୦ ୱିକେଟ୍‌ ପୂର୍ଣ୍ଣ କରିଥିବା ବେଳେ ୟୁଝବେନ୍ଦ୍ର ଚହଲ (୯୬)ଙ୍କୁ ପଛରେ ପକାଇ ହାର୍ଦିକ (୯୭) ଦ୍ବିତୀୟରେ ପହଞ୍ଚିଛନ୍ତି। ଫଖର ଜମାନଙ୍କ ଅସ୍ପଷ୍ଟ କଟ୍‌ ବିହାଇଣ୍ଡ୍‌କୁ ନେଇ ମଧ୍ୟ ବିବାଦ ଓ ବାକ୍‌ବିତଣ୍ଡା ଆରମ୍ଭ ହୋଇଛି। କରମର୍ଦ୍ଦନ ବିବାଦ ସହିତ ରବିବାର ଏହି ମ୍ୟାଚ୍‌ ବେଳେ ଏକାଧିକ ବାକ୍ୟ ବିନିମୟ ମୁହୂର୍ତ ଦେଖିବାକୁ ମିଳିଥିଲା।

ଭାରତ ଓ ପାକିସ୍ତାନ ସୁପର୍‌-୪ ମୁକାବିଲାକୁ ପୁଣି ଫେରିଛି କରମର୍ଦ୍ଦନ ବିବାଦ। ଗ୍ରୁପ୍ ମ୍ୟାଚ୍‌ର ଟସ୍ ବେଳେ ପାକିସ୍ତାନ ଅଧିନାୟକ ସଲମାନ୍ ଆଗାଙ୍କ ସହ ହାତ ନମିଳାଇ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଭାରତୀୟ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ। ଏପରିକି ମ୍ୟାଚ୍‌ ଜିତିବା ପରେ ପହଲଗାମ୍‌ ଆତଙ୍କୀ ଆକ୍ରମଣ ଓ ଅପରେସନ୍‌ ସିନ୍ଦୂର କଥା କହି ଏହାକୁ ସମର୍ପିତ କରିଥିଲେ। ରବିବାର ସୁପର୍‌-୪ ମୁକାବିଲା ବେଳକୁ ମଧ୍ୟ ସୂର୍ଯ୍ୟ ଟସ୍ ବେଳେ ସମାନ ଆଚରଣ ଦୋହରାଇଥିଲେ। ଟସ୍ ଜିତିବା ପରେ ସଲମାନ ଆଗାଙ୍କ ସହ ହାତ ନମିଳାଇ ସିଧାସଳଖ ରବି ଶାସ୍ତ୍ରୀଙ୍କ ପାଖକୁ ଯାଇ ନିଜ ପ୍ରତିକ୍ରିୟା ରଖିଥିଲେ। ମ୍ୟାଚ୍‌ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ସହ ହାତ ମିଳାଇ ସଲମାନଙ୍କୁ ମଧ୍ୟ ଅଧିକ ଅପମାନିତ କରିଥିଲେ। ମ୍ୟାଚ୍‌ ପରେ ଭାରତୀୟ ଖେଳାଳି ମଧ୍ୟ ହାତ ମିଳାଇ ନଥିଲେ। ଭାରତ ଦୁଇଟି ପରିବର୍ତ୍ତନ ସହ ଏହି ମ୍ୟାଚ୍‌ ଖେଳିଥିଲା।

ତେବେ ଏହି ମ୍ୟାଚ ସମୟରେ ପାକିସ୍ତାନ ଖେଳାଳି ଏମିତି କିଛି କରିଥିଲେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ପାକିସ୍ତାନୀ କ୍ରିକେଟର ସାହିବଜାଦା ଫରହାନ ମ୍ୟାଚ ସମୟରେ ବନ୍ଧୁକ ଚଳାଇବା ମୁଦ୍ରାରେ ନଜର ଆସିଥିଲେ | ଏନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଏନେଇ ସୁପ୍ରିୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏ ବିଷୟରେ ପ୍ରଶ୍ନ କରିଥିଲେ।

Leave a comment