ଭିଜିବି ପୂଜା , ଆସୁଛି ଦୁଇଟି ଲଘୁଚାପ
ଏଥର ଦୁର୍ଗାପୂଜା ପୂରା ଭିଜିବ। ଆଗକୁ ଆସିବାକୁ ଥିବା ଦୁଇଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୫ ତାରିଖରେ ଏବଂ ଅକ୍ଟୋବର ୧ରେ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆମାର୍ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହି ୨୨ ତାରିଖ ଆଡ଼କୁ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଫଳରେ ୨୫ ତାରିଖ ଆଡ଼କୁ ମିଆମାର-ବାଂଲାଦେଶ ଉପକୂଳ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ସେହିଭଳି ୨୪ରୁ ୨୬ ତାରିଖ ଯାଏଁ ଛତିଶଗଡ଼ ଓ ତଟୀୟ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏଥର ପୂରା ନବରାତ୍ରି ବର୍ଷାରେ ଭିଜିବ। କାରଣ ଲଗାତାର ୨ଟି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି। ୨୩ ତାରିଖରେ ଉତ୍ତର ବଙ୍ଗୋପସାଗର କେନ୍ଦ୍ରୀୟ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୪ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ଏହା ଓଡ଼ିଶା ଆଡ଼କୁ ମୁହାଁଇବ। ୨୫ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ୨୪ ତାରିଖରେ ଉପକୂଳ ଓଡ଼ିଶା, ୨୫ରେ ଉତ୍ତର ଉପକୂଳ କେନ୍ଦ୍ରୀୟ ଓଡ଼ିଶା ଏବଂ ୨୬ ଓ ୨୭ ତାରିଖରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। ୨୬ ତାରିଖରେ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ , ଗଜପତି , ରାୟଗଡ଼ା, ଅବିଭକ୍ତ କୋରାପୁଟ ଓ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୨୭ ତାରିଖରେ ଅବପାତ ଗୋପାଳପୁରଠାରୁ ବିଶାଖାପାଟଣା ମଧ୍ୟରେ ଉପକୂଳ ସ୍ପର୍ଶ କରି ଛତିଶଗଡ଼ ଆଡ଼କୁ ମୁହାଁଇବ। ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଡ. ପଶୁପାଳକ କହିଛନ୍ତି।
ତେବେ ୩୦ ତାରିଖରେ ମିଆମାର୍ ଉପକୂଳସ୍ଥିତ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧ରେ ଏହା ଲଘୁଚାପର ରୂପ ନେବ। ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ତେବେ ଏହାର ପ୍ରଭାବରେ ନବମୀ ଓ ଦଶମୀ ଅର୍ଥାତ ୧ ଓ ୨ ତାରିଖରେ ରାଜ୍ୟ ବର୍ଷାରେ ଭିଜିବ। ଅବଶ୍ୟ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ପ୍ରଥମ ଲଘୁଚାପର ତୀବ୍ରତା ହିଁ ଦ୍ବିତୀୟ ଲଘୁଚାପର ରୂପରେଖ ଠିକ୍ କରିବ ବୋଲି ଡ.ପଶୁପାଳକ ପ୍ରକାଶ କରି ଆସନ୍ତା ମାସେ ଭିତରେ ବାତ୍ୟାର କୌଣସି ସମ୍ଭାବନା ନଥିବା କହିଛନ୍ତି।