ଆସନ୍ତା ଆକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟରେ ଅଧିକ ବର୍ଷା ହେବ
ଆସନ୍ତା ଆକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟରେ ଅଧିକ ବର୍ଷା ହେବ। ଏଥିସହ ଡିସେମ୍ବରରେ ପ୍ରବଳ ଜାଡ଼ ପଡ଼ିବ। ପାଣିପାଗ ବିଜ୍ଞାନୀମାନେ ଏଭଳି କିଛି ଅନୁମାନ କରିଛନ୍ତି। ଏଥର ନବରାତ୍ର ବର୍ଷାରେ ଭିଜିବ। ୨୬ ତାରିଖରୁ ରାଜ୍ୟରେ ବଦଳିବ ପାଗ। ୨୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ୨୭ ଓ ୨୮ ତାରିଖରେ ସବୁଠାରୁ ବେଶି ବର୍ଷା ଆଶଙ୍କା କରାଯାଉଛି। ମହାନଦୀ ଅବବାହିକା ଅଞ୍ଚଳରେ ବି ଅଧିକ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଆସନ୍ତା ୨୩ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୬ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧିବ।
ଏହା ଘନୀଭୂତ ହୋଇ ୨୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ବିଶିଷ୍ଟ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବିଶ୍ବ ପାଣିପାଗ ଏବେ ଲା-ନିନା ଆଡ଼କୁ ଅଗ୍ରସର ହେଉଛି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଲା-ନିନା ହେବାର ସମ୍ଭାବନା ୬୦ରୁ ୭୦% ଅଧିକ। ଅକ୍ଟୋବର ଓ ନଭେମ୍ବରରେ ଗୋଟିଏରୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ଲଘୁଚାପ, ଅବପାତ ବା ଝଡ଼ବର୍ଷା ଆଶଙ୍କା ରହିଛି। ଗତ ୨୪ ବର୍ଷ ମଧ୍ୟରେ ୮ଟି ଥିଲା ଲା-ନିନା ବର୍ଷ। ୨୦୧୦-୧୧, ୨୦୨୦-୨୧ ଓ ୨୦୨୧-୨୨ରେ ଅକ୍ଟୋବର ମାସରେ ପ୍ରବଳ ବର୍ଷା ହୋଇଥିଲା। ଅନ୍ୟାନ୍ୟ ବର୍ଷରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କହୁଛି। ୨୦୨୦-୨୧ ମସିହା ନଭେମ୍ବରରେ ଅଧିକ ବର୍ଷା ହୋଇଥିଲା। ଲା-ନିନା ଡିସେମ୍ବରକୁ ପ୍ରଭାବିତ କରିନଥାଏ। କିନ୍ତୁ ଜାନୁଆରି ଓ ଫେବ୍ରୁଆରିରେ କେତେକ ଲା-ନିନା ବର୍ଷରେ ପଶ୍ଚିମା ଝଡ଼ ଯୋଗୁଁ ବର୍ଷା ହୋଇଥାଏ।
କେବଳ ବର୍ଷା ନୁହେଁ, ଲା-ନିନା ବର୍ଷରେ ଶୀତ ମଧ୍ୟ ଅଧିକ ହୋଇଥାଏ। ଡିସେମ୍ବରର ସର୍ବନିମ୍ନ ତାପମାତ୍ରା ୦.୫ରୁ ୧.୫ ଡିଗ୍ରି ପର୍ଯ୍ୟନ୍ତ କମିଥାଏ। ସର୍ବାଧିକ ତାପମାତ୍ରା ବିଶେଷ ପରିବର୍ତ୍ତନ ହୁଏ ନାହିଁ। ରାତି ତାପମାତ୍ରା କମିବା ସହ ପାଗ ଶୁଖିଲା ହେତୁ ଶିଶିରପାତ ଅଧିକ ହୁଏ। ଫଳରେ ପ୍ରବଳ ଜାଡ଼ ଅନୁଭୂତ ହୋଇଥାଏ। ଲା-ନିନା ବର୍ଷଗୁଡ଼ିକରେ ରାଜ୍ୟରେ ଅନିୟମିତ ପାଣିପାଗର ସମ୍ଭାବ୍ୟ ରୂପରେଖ ଚାଷକାର୍ଯ୍ୟକୁ ପ୍ରଭାବିତ କରିବାର ଆଶଙ୍କା ରହିଥିବାରୁ କୃଷକମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।