ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ନେପାଳର ଅନ୍ତରୀଣ ସରକାରଙ୍କ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଶ୍ରୀମତୀ ସୁଶୀଳା କାର୍କିଙ୍କୁ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ, ଭାରତ ନେପାଳର ଲୋକଙ୍କ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଦୃଢ଼ ପ୍ରତିବଦ୍ଧ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି;
“ନେପାଳର ଅନ୍ତରୀଣ ସରକାରଙ୍କ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ମୁଁ ଶ୍ରୀମତୀ ସୁଶିଳା କାର୍କିଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ନେପାଳର ଭାଇ-ଭଉଣୀମାନଙ୍କ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଭାରତ ଦୃଢ଼ ପ୍ରତିବଦ୍ଧ ।”
ନେପାଳର ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କାର୍କୀ ଗୁରୁବାର ଶପଥ ଗ୍ରହଣ କରିଛନ୍ତି, ସେ ହେଉଛନ୍ତି ଦେଶର ଇତିହାସରେ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିବା ପ୍ରଥମ ମହିଳା।
ଦେଶରେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସୁଶୀଳା ଏହି ଅନ୍ତରୀଣ ସରକାରର ନେତୃତ୍ବ ନେବେ। ସମ୍ବିଧାନରେ ବଡ଼ଧରଣର ପରିବର୍ତ୍ତନ ପାଇଁ ଜେନ୍ ଜେଡ୍ର ଦାବି ଅନ୍ତରୀଣ ସରକାର ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।
ସୁଶୀଳା ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକରେ ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ସୁପାରିସ କରିବେ ବୋଲି ଜଣାପଡ଼ିଛି। ନେପାଳ ସମ୍ବିଧାନର ଧାରା ୨୭୩ ଅନୁଯାୟୀ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ, ସଶସ୍ତ୍ର ବିଦ୍ରୋହ କିମ୍ବା ଅନ୍ୟାନ୍ୟ ଜଟିଳ ସଙ୍କଟଜନକ ପରିସ୍ଥିତିରେ ଦେଶ ସର୍ବାଧିକ ୬ ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବ।