ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଉପସଭାପତି ପ୍ରତାପ ଜେନାଙ୍କ ଏକ ଚିଠି ଜରିଆରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବି ଦଳ ବିରୋଧରେ ନିୟମିତଭାବେ ଅସନ୍ତୋଷ ଝାଡ଼ିଚାଲିଥିଲେ। ବିଜେଡି ଠିକ୍ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି ବୋଲି ସେ ରୋକ୍ଠୋକ୍ କହିଥିଲେ। ଗଣମାଧ୍ୟମକୁ ଶ୍ରୀ ମଲ୍ଲିକ କହିଥିଲେ, ମୁଁ ଏବେ ବିଜେଡିରେ ଅଛି। କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି। ଆଗକୁ ଦଳ ଯଦି ଠିକ ଢଙ୍ଗରେ ନ ଚାଲିବ ତା’ହେଲେ ଦଳ ଠାରୁ ଦୂରେଇଯିବି। ଦଳ ଆଉ ପୂର୍ବ ବିଚାରଧାରାରେ ନାହିଁ। ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ। ରାଜନୈତିକ ବ୍ୟାପାର କମିଟି ଓ ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରାଯାଇନି। ଏବେ ନୂଆ ବିଜେଡି ଗଠନର ସମୟ ନୁହେଁ। ପୁରୁଣା ବିଜେଡିକୁ ଠିକ୍ ଭାବେ ଚଳାଇବାକୁ ପଡ଼ିବ।
ଗତ ଦୁଇଦିନ ତଳେ ବିଜେଡିର ଯୁବ ନେତା ହରଶଙ୍କର ରାଉତ ଦଳରୁ ଇସ୍ତଫା ଦେଇଥିଲେ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ଏକ ପ୍ରେସ୍ମିଟ୍ରେ ନିଜର ଇସ୍ତଫା ସୂଚନା ଦେଇଥିଲେ । ହରିଶଙ୍କର ଇସ୍ତଫା ସହ ଦଳର ଅନେକ ଗୁମର ଖୋଲିଥିଲେ ହରିଶଙ୍କର । ଦଳ ଆଉ ଠିକ୍ରେ କାମ କରୁନି, ଏଠି ରହିଲେ ଭବିଷ୍ୟତ ଅନ୍ଧାର ପ୍ରେସ୍ମିଟ୍ରେ ସିଧା ସିଧା ପାଣ୍ଡିଆନ୍ଙ୍କୁ ଟାର୍ଗେଟ କରିଥିଲେ ହରିଶଙ୍କର । ପାଣ୍ଡିଆନଙ୍କ ଚାଟୁକାରଙ୍କୁ ଦଳରେ ମିଳୁଛି ବଡ଼ ବଡ଼ ପଦବୀ । ପାଣ୍ଡିଆନଙ୍କ ଯୋଗୁଁ ଦଳର ଅବକ୍ଷୟ ଘଟିଛି । ସୁପ୍ରିମୋ ପାଣ୍ଡିଆନଙ୍କ ଯୋଗୁଁ ଦଳର ଅବକ୍ଷୟକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ହରିଶଙ୍କର ପାଣ୍ଡିଆନଙ୍କ ଯୋଗୁଁ ହଜାର ହଜାର ଯୁବକ ଓ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ବୋଲି କହିଥିଲେ ।