ନିୟୁ ସିଟିକୁ କ୍ୟାବିନେଟ ମୋହର

ରାଜଧାନୀ ଭୁବନେଶ୍ୱରରେ ଗଢ଼ିଉଠିବ ଆଉ ଏକ ନୂଆ ସହର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିଦିନ ତଳୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବୁଧବାର ରାଜ୍ୟ କ୍ୟାବିନେଟ୍‌ର ମୋହର ବାଜିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ କହିଛନ୍ତି, ଭୁବନେଶ୍ୱର ପାଇଁ ‘ନୂଆ ସହର ଉନ୍ନୟନ’(ନ୍ୟୁ ସିଟି) ଯୋଜନାକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଏହି ପ୍ରକଳ୍ପ ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିକୁ ନେଇ ହେବ। ଏହା ଏକ ବହୁ-ଅର୍ଥନୀତି ବୃଦ୍ଧି ଅଞ୍ଚଳ ରୂପେ ତିଆରିହେବ। ‘ନୂଆ ସହର’ରେ ସମସ୍ତ ଆୟ ଶ୍ରେଣୀ ପାଇଁ ସାମର୍ଥ୍ୟ ଓ ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାରର ଘର ଉପଲବ୍ଧ ହେବ। ଏହି ସହର ଆଧୁନିକ ସୁବିଧା ସୁଯୋଗ ସହ ତିଆରିହେବ, ଯେପରିକି ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଓ ପ୍ରଦର୍ଶନୀ ପାଇଁ ସୁବିଧା, ନୂଆ ଆଇଡିଆ-ଆଧାରିତ କାର୍ଯ୍ୟକ୍ଷେତ୍ର ଓ ଡାଟା ପରିଚାଳନା କେନ୍ଦ୍ର। ଲୋକଙ୍କ ସାମାଜିକ ଆବଶ୍ୟକତା ପୂରଣ ପାଇଁ ସେଣ୍ଟ୍ରାଲ ଫରେଷ୍ଟ ପାର୍କ, ଗେଟ୍‌ୱେ ପ୍ଲାଜା ଓ ଅନେକ ଖୋଲା ସାର୍ବଜନୀନ ସ୍ଥାନ ତିଆରି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ପ୍ରକଳ୍ପ ଜଳବାୟୁ ସହନଶୀଳତା ଆଧ୍ୟାରିତ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନୋଡାଲ ଏଜେନ୍ସି ଭାବେ ନିଯୁକ୍ତ ହୋଇଛି। ୨୦୨୫ ଜାନୁଆରୀ ୧୭ରେ ସିଙ୍ଗାପୁର ରାଷ୍ଟ୍ରପତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଡିଏ ଓ ସିଙ୍ଗାପୁରର ସୁର୍ବାନା ଜୁରୋଙ୍ଗ ସଂସ୍ଥା (ଏସ୍‌ଜେଆଇ) ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ, ଏସ୍‌ଜେଆଇ ନୂଆ ସହର ବା ‘ନିୟୁ ସିଟି’ ପାଇଁ ମାଷ୍ଟର ପ୍ଲାନ୍‌ ତିଆରି ଓ ଭିତ୍ତିଭୂମି ବିକାଶ ଲାଗି ପରାମର୍ଶ ଦେବ। ପୂରା ପ୍ରକଳ୍ପ ଲାଗି ବିଡିଏ ଆଗାମୀ ୧୫ ବର୍ଷରେ ୮,୧୭୯ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଛି, ଯେଉଁଥିରେ ସରକାରୀ ଓ ଘରୋଇ ଅର୍ଥ ମିଶିବ। ପ୍ରଥମ ୫ ବର୍ଷ(୨୦୨୫-୨୬ରୁ ୨୦୨୯-୩୦)ରେ ରାଜ୍ୟ ବଜେଟ୍‌ରୁ ୧,୩୪୨ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ରହିଛି, ଯେଉଁ ଅର୍ଥ ଜମିକିଣା ସହିତ ରାସ୍ତା ତିଆରି, ମୌଳିକ ସୁବିଧା, ସାର୍ବଜନୀନ ସୁବିଧା ଓ ପ୍ରଶାସନିକ ଖଚ୍ଚର୍ର୍ ପାଇଁ ବ୍ୟବହୃତ ହେବ ବୋଲି ମୁଖ୍ୟ ଶାସନ ସଚିବ ଆହୁଜା କହିଛନ୍ତି।

Leave a comment