ରାଜ୍ୟରେ ପୁଣି ବଢିବ ବର୍ଷା

ରାଜ୍ୟରେ ପୁଣି ବଢିବ ବର୍ଷା। ଆଞ୍ଚଳିକ ପାଣିପାଗ ସୂଚନାନୁସାରେ, ସେପ୍ଟେମ୍ବର ୭ରୁ ୧୩ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ମୌସୁମୀ ଟ୍ରପ୍‌ ବର୍ତ୍ତମାନ ପୂର୍ବ- ଦକ୍ଷିଣପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରୁଛି। ଏଥିସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଉପରେ ବାୟୁମଣ୍ଡଳୀୟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ତୀବ୍ରତା ବଢ଼ିଛି। ଏହି କ୍ରମରେ ସୋମବାର ରାଜ୍ୟର ୪ଟି ଜିଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲାକୁ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଗଞ୍ଜାମ ଜିଲାର କିଛି ସ୍ଥାନରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି। ଏବେ ଘୂର୍ଣ୍ଣିବଳୟ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୩.୧ ଏବଂ ୫.୮ କି.ମି. ଉଚ୍ଚତାରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave a comment