ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କଲେ ଲେଗ୍‌ସ୍ପିନର ଅମିତ ମିଶ୍ରା

ଭେଟେରାନ୍ ଭାରତୀୟ ଲେଗ୍‌ସ୍ପିନର ଅମିତ ମିଶ୍ରା ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଫଳରେ ତାଙ୍କ ଦୁଇ ଦଶନ୍ଧିରୁ ଅଧିକ ସମୟ ବ୍ୟାପ୍ତ ଘଟଣା ବହୁଳ କ୍ୟାରିୟରରେ ଯବନିକା ପଡ଼ିଛି। ୪୨ବର୍ଷୀୟ ମିଶ୍ରା ଶେଷ ଥର ପାଇଁ ୨୦୧୭ ମସିହାରେ ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ। ତେବେ ୨୦୨୪ ମସିହା ପର୍ଯ୍ୟନ୍ତ ଆଇପିଏଲ୍‌ରେ ସକ୍ରିୟ ଥିଲେ। ଆଇପିଏଲ୍‌ରେ ହ୍ୟାଟ୍ରିକ୍ ନେବାରେ ସେ ହେଉଛନ୍ତି ଏକମାତ୍ର ଭାରତୀୟ ବୋଲର। ଗୁରୁବାର ପ୍ରକାଶ କରିଥିବା ବିବୃତିରେ ଏହି ହରିୟାଣା କ୍ରିକେଟର୍ କହିଛନ୍ତି ଯେ ନିୟମିତ ଆହତ ହେବା ମୋ କ୍ୟାରିୟର ପାଇଁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ଏବେ ମଧ୍ୟ ଯୁବ ପିଢ଼ିକୁ ବାଟ ଛାଡ଼ିବାର ସମୟ ଆସିଯାଇଛି। ମିଶ୍ରା ୨୨ ଟେଷ୍ଟ୍, ୩୬ ଦିନିକିଆ ଓ ୧୦ ଟ୍ବେଣ୍ଟି-୨୦ରେ ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ବ କରିଛନ୍ତି। ଟେଷ୍ଟ୍‌ରେ ୭୬, ଦିନିକିଆରେ ୬୪ ଏବଂ ଟ୍ବେଣ୍ଟି-୨୦ରେ ୧୬ ୱିକେଟ୍ ଅକ୍ତିଆର କରିଛନ୍ତି। ସେହିଭଳି ୨୫ବର୍ଷର ପ୍ରଥମ ଶ୍ରେଣୀ କ୍ୟାରିୟରରେ ୨୮୫ ଲିଷ୍ଟ ଏ’ ଏବଂ ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ୨୫୨ ୱିକେଟ୍ କରାୟତ୍ତ କରିଛନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦ, ଡେକାନ୍ ଚାର୍ଜର୍ସ, ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଭଳି ଦଳର ପ୍ରତିନିଧିତ୍ବ କରି ୧୬୬ ଆଇପିଏଲ୍ ୱିକେଟ୍ ନେଇଛନ୍ତି। ୨୦୦୩ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଓ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିବା ମିଶ୍ରା ଏହାର ୫ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ଖେଳିଥିଲେ। ଅବସର ନେଇଥିଲେ ମଧ୍ୟ ଭାଷ୍ୟକାର କିମ୍ବା ପ୍ରଶିକ୍ଷଣ ଜରିଆରେ କ୍ରିକେଟ୍ ସହ ଜଡ଼ିତ ରହିବାକୁ ଆଶା ପ୍ରକାଶ କରିଛନ୍ତି।

Leave a comment