ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ନୀରଜ ନେବେ ଭାରତର ନେତୃତ୍ବ
ଟୋକିଓରେ ସେପ୍ଟେମ୍ବର ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ୧୯ (୫ ମହିଳା) ଜଣିଆ ଭାରତୀୟ ଦଳ ରବିବାର ଘୋଷିତ ହୋଇଛି। ବିଶ୍ବ ବିଜେତା ନୀରଜ ଚୋପ୍ରାଙ୍କ ନେତୃତ୍ବରେ ଘୋଷିତ ଏହି ଦଳରେ ଓଡ଼ିଶାରୁ କେବଳ ଧାବକ ଅନିମେଷ କୁଜୁର ସ୍ଥାନ ପାଇଛନ୍ତି। ନୀରଜଙ୍କ ସହ ଜାଭଲିନ୍ରେ ୪ ଜଣ ସଚିନ ୟାଦବ, ଯଶବୀର ସିଂହ ଓ ରୋହିତ ୟାଦବ ରହିଛନ୍ତି। ନୀରଜ ଗତ ସଂସ୍କରଣ ବିଜେତା ଭାବେ ୱାଇଲ୍ଡ କାର୍ଡ ପାଇ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୩ ଭାରତୀୟ ଗୁଲବୀର ସିଂହ (୫୦୦୦ ମିଟର), ପ୍ରବୀଣ ଚିତ୍ରାଭେଲ (ଟ୍ରିପଲଜମ୍ପ) ଓ ପାରୁଲ ଚୌଧୁରୀ (୩୦୦୦ ମିଟର ଷ୍ଟିପଲ୍ଚେଜ୍) ଯୋଗ୍ୟତା ମାନଦଣ୍ଡ ପୂରଣ କରି ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟ ୧୫ ଜଣ ବିଶ୍ବ ମାନ୍ୟତା ଅନୁଯାୟୀ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଯୋଗ୍ୟତା ଅର୍ଜନ କରିଥିବା ଅବିନାଶ ସାବ୍ଲେ ଫିଟ୍ ନଥିବାରୁ ଚୟନରୁ ଓହରି ଯାଇଥିଲା ବେଳେ ସମାନ କାରଣରୁ ନନ୍ଦିନୀ ଅଗସାରା ଓ ଆକାଶଦୀପ ସିଂହଙ୍କୁ ଦଳରେ ସ୍ଥାନ ମିଳିନି।