ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି – ଅଶୋକ ପଣ୍ଡା

ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ ମାରୁଛନ୍ତି। ବଦ୍ରି ପାତ୍ରଙ୍କ ପରେ ଆଜି ଅର୍ଥାତ୍‌ ଗୁରୁବାର ବରିଷ୍ଠ ନେତା ଅଶୋକ ପଣ୍ଡା ତେର୍ଚ୍ଛା ବାଣ ମାରିଛନ୍ତି। ଆଇ ଆମ୍‌ ଡାଉନ ବଟ୍‌ ନଟ ଆଉଟ୍‌ ଏହି କଥାକୁ ନେଇ ଚାଲିଥିବା ଚର୍ଚ୍ଚାରେ ସେ କହିଛନ୍ତି, ମୁଁ ଛି କହିପାରିବିନି; ଯିଏ କହିଛନ୍ତି, ଯାହାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସେ ହିଁ କହିପାରିବେ। ନବୀନ ବାବୁ ଶିଖାଇ ନାହାନ୍ତି ବାଉଣ୍ଡରୀ ବାହାରକୁ ଯିବାକୁ।
୪୧ ପ୍ରତିଶତ ଜନାଦେଶ ପାଇଛୁ, ଆଉଟ ହେବାର ପ୍ରଶ୍ନ ଉଠୁ ନାହିଁ। ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି। ଶ୍ରୀରାମଙ୍କ ୧୪ ବର୍ଷ ବନବାସ ବେଳେ ସୀତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଥିଲେ ଭାଇ ଲକ୍ଷ୍ମଣ। ସବୁ କ୍ଷେତ୍ରରେ ଶୃଙ୍ଖଳା ଅନୁଶାସନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅଶୋକ ପଣ୍ଡା। ସେ କହିଛନ୍ତି ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିପାରିବ ନାହିଁ।

ଅନ୍ୟପକ୍ଷରେ  ନିକଟରେ ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମେତ କେତେଜଣ ବରିଷ୍ଠ ନେତା ଅସୁସ୍ଥ ନବୀନବାବୁଙ୍କୁ ହସ୍ପିଟାଲ୍‌ରେ ସାକ୍ଷାତ୍‌ କରିବାକୁ ଯାଇଥିବାବେଳେ ସେମାନଙ୍କୁ ସୁଯୋଗ ମିଳି ନ ଥିଲା। ଏହାକୁ ଦଳର ନେତା ଓ କର୍ମୀମାନେ ହଜମ କରିପାରୁନାହାନ୍ତି। ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କୁ ଦଳର ସଭାପତି ଗୁରୁତ୍ୱ ଦେଉଥିବାରୁ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏପରି କି ଦଳ ବିଭାଜନ ଆଡ଼କୁ ମୁହାଁଉଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ଏହି ପ୍ରସଙ୍ଗରେ ପୂର୍ବରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ପ୍ରଶ୍ନ ଉଠାଇଥିବାବେଳେ ବୁଧବାର ଗଣେଶ ଚତୁର୍ଥୀରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ବଦ୍ରି ନାରାୟଣ ପାତ୍ର ନବୀନଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି। ସେ କହିଛନ୍ତି, ସାଧାରଣ ନିର୍ବାଚନରେ ନବୀନ ଲୋକ ତଥା ଭୋଟରଙ୍କୁ ଗୁରୁତ୍ୱ ଦେଲେନାହିଁ ବୋଲି ଦଳର ପରାଜୟ ହେଲା। ଗଣତନ୍ତ୍ରରେ ଲୋକମାନେ ହେଲେ ସର୍ବେସର୍ବା। ସେମାନଙ୍କୁ ନେଇ ଦଳ ଆଗକୁ ବଢ଼ିବା କଥା। ମାତ୍ର ନବୀନ ବାବୁ ଗଣଙ୍କୁ ନୁହେଁ, ଜଣଙ୍କୁ ଗୁରୁତ୍ୱ ଦେଉଛନ୍ତି, ଯେଉଁଥିପାଇଁ ଖାଲି ବରିଷ୍ଠ ନେତା ନୁହନ୍ତି, ତୃଣମୂଳସ୍ତରର ଲୋକେ ମଧ୍ୟ ଅସନ୍ତୁଷ୍ଟ ହେଉଛନ୍ତି। ସାଧାରଣ ନିର୍ବାଚନ ବେଳେ କିଛି ଲୋକଙ୍କ ମତ ଅନୁକୂଳ ହେଲାନି। ଲୋକେ ଯେମିତି ଚାହୁଁଥିଲେ ସେମିତି ହେଲାନି, ଯାହା ଫଳରେ ଲୋକେ ଓଲଟାଇଦେଲେ। ଲୋକ ହେଉଛନ୍ତି ଅଲ୍‌ଟିମେଟ୍‌ ଜଜ୍‌। ଭୋଟରମାନେ କ’ଣ କହୁଛନ୍ତି, ସେକଥା ଦଳର ସଭାପତି ଓ ନେତୃବୃନ୍ଦ ଜାଣିବା ଆବଶ୍ୟକ। ସେହି ଅନୁସାରେ ନିଜକୁ ପରିବର୍ତ୍ତନ କଲେ ଯାଇ ଦଳ ଆଗେଇପାରିବ। ଲୋକଙ୍କ ଇଚ୍ଛା ବିରୋଧରେ ଯାଇ କେଉଁ ଦଳ ଆଗେଇପାରିନାହିଁ। ଶୀର୍ଷନେତୃତ୍ୱ ଆସ୍ଥା ସୃଷ୍ଟି କରିପାରୁ ନ ଥିବାରୁ ତଳସ୍ତରରେ କର୍ମୀ ଦଳ ଛାଡ଼ିବା ଆରମ୍ଭ କଲେଣି। ସମସ୍ତଙ୍କୁ ସବୁବେଳେ ସାଙ୍ଗରେ ନେଇ ଚାଲିବାର ରହିଛି, ତାହା ହିଁ ବୁଦ୍ଧିମାନ୍‌ର କାମ ହେବ।
ସେ ପୁଣି କହିଛନ୍ତି, ବିଜେଡି ଏକ ଶୃଙ୍ଖଳିତ ଦଳ, ଯାହାକୁ ନେଇ ସାରାଦେଶରେ ବେଶ୍‌ ଖ୍ୟାତି ରହିଛି। ଲୋକଙ୍କ ମତାମତକୁ ସବୁବେଳେ ସମ୍ମାନ ଦେଇ ନିଷ୍ପତ୍ତି ନିଆଯିବା କଥା। ହେଲେ ବାସ୍ତବ କ୍ଷେତ୍ରରେ ତାହା ହେଉନାହିଁ। ଏହି ଅବସରରେ ସେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ‘ଆଇ ଆମ୍‌ ଡାଉନ୍‌ ବଟ୍‌ ନଟ୍‌ ଆଉଟ୍‌’ ଅର୍ଥ କ’ଣ ତାହା ମୁଁ ଜାଣେନାହିଁ। ତା’ର ଅର୍ଥ କ’ଣ ଯିଏ କହିଛନ୍ତି ସେ ବୁଝିଥିବେ ଏବଂ ଯାହାକୁ କୁହାଯାଇଛି ସେ ହିଁ ବୁଝିଥିବେ’। ସେ ପ୍ରସଙ୍ଗରେ ମୁଁ ପଶିବାକୁ ଚାହୁଁନାହିଁ।
ସେହିପରି ସୁଜାତା କାର୍ତ୍ତିକେୟନ ଦଳରେ ଏଣ୍ଟ୍ରି ହୋଇପାରନ୍ତି ପ୍ରଶ୍ନର ଉତ୍ତରରେ ବଦ୍ରି କହିଛନ୍ତି, ତାଙ୍କୁ ଦଳ ସ୍ବାଗତ କରିବ। ବିଜେଡି ଏକ ସମୁଦ୍ର, ଅଧିକ ଲୋକ ଗ୍ରହଣ କରିବାକୁ କ’ଣ ଦଳରେ ଜାଗା ନାହିଁ କି? କିନ୍ତୁ କିଏ କିଭଳି ରହୁଛି, କିଏ କ’ଣ କରିବା କଥା, କି ଦାୟିତ୍ୱ ନେବା କଥା ତାହା ସଭାପତି ଗୁରୁତ୍ୱ ଦେବାର ରହିଛି। ଦଳ ବଢ଼ିଲେ ବିବାଦ ବଢ଼ିବ, ଏହା କିଛି ନୂଆକଥା ନୁହେଁ। କିନ୍ତୁ କଥା ହେଉଛି ସମସ୍ତେ ନିଜ ସୀମା ଜାଣିବା ଦରକାର। ମୋର ଦାୟିତ୍ୱ କ’ଣ ତାହା ବୁଝିଲେ ହିଁ ସବୁ ଠିକ୍‌ ହେବ ଏବଂ ଦଳ ଶୃଙ୍ଖଳିତ ଭାବେ ଚାଲିବ। ଆଉ ଯଦି ସୀମା ଟପିବା, ତାହାଲେ ଦ୍ୱନ୍ଦ୍ୱ ବଢ଼ିବ। ବର୍ତ୍ତମାନ ଯେଉଁ ଦ୍ୱନ୍ଦ୍ୱ ଉପୁଜିଛି, ସେଥିପାଇଁ ଦଳରେ ଯେଉଁମାନେ ବର୍ତ୍ତମାନ ଦାୟିତ୍ୱ ନେଉଛନ୍ତି ସେମାନେ ବୁଝିବା ଦରକାର। ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ତଳସ୍ତରରେ କେତେ ଗ୍ରହଣୀୟ ହେଉଛି, ତାହାର ସମୀକ୍ଷା କରିବା ଆବଶ୍ୟକ। ସବୁକଥାର ପରୀକ୍ଷା ଗ୍ରାଉଣ୍ଡ୍‌ଲେଭଲରେ ହେବା ଆବଶ୍ୟକ ବୋଲି ବଦ୍ରି କହିଛନ୍ତି।

Leave a comment