ୟେମେନ ରାଜଧାନୀରେ ଇସ୍ରାଏଲର ଏୟାରଷ୍ଟ୍ରାଇକ
ଇରାନ ସମର୍ଥତ୍ତ ୟେମେନ୍ର ହୁଟି ଆତଙ୍କବାଦୀଙ୍କ ମିଶାଇଲ୍ ଆକ୍ରମଣ ଜବାବରେ ଇସ୍ରାଏଲୀ ସେନା ରବିବାର ଅପରାହ୍ନରେ ୟେମେନ୍ ରାଜଧାନୀ ସାନା ଉପରେ ଜୋର୍ଦାର ବୋମାମାଡ଼ କରିଛି। ଗତ ୧୭ ତାରିଖର ଆକ୍ରମଣ ପରେ ରବିବାର ହୁଟିଙ୍କ ଅକ୍ତିଆରରେ ଥିବା ସାନା ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିଦ୍ରୋହୀଙ୍କ ଦ୍ୱାରା ବ୍ୟବହୃତ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଛି। ୟେମେନ୍ର ମିଶାଇଲ୍ ବେସ୍, ରାଷ୍ଟ୍ରପତି ଭବନ ନିକଟବର୍ତ୍ତୀ ଅଞ୍ଚଳରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ୟେମେନ୍ ସୁରକ୍ଷା ବଳ ସୂତ୍ରରୁ ଆକ୍ରମଣ ସୂଚନା ଦିଆଯାଇଥିବାବେଳେ ସ୍ଥାନୀୟ ଲୋକେ ମଧ୍ୟ ରଏଟର୍ସକୁ ଏହି ଖବର ଦେଇଛନ୍ତି। ଆକ୍ରମଣରେ କେନ୍ଦ୍ରୀୟ ସାନାରେ ଥିବା ଏକ ମ୍ୟୁନିସିପାଲିଟି ବିଲ୍ଡିଂ କ୍ଷତିଗ୍ରସ୍ତ ହେବା ସହ ସେଠାରେ କେତେଜଣ ମୃତାହତ ହୋଇଛନ୍ତି। ସେହିପରି ହୋଡେଇଡା ବନ୍ଦର ସହରରେ ମଧ୍ୟ ଆକ୍ରମଣ ହୋଇଥିବା ଏକ ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟ କରିଛି। ତେବେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରାଯାଇ ନାହିଁ।
ଗତ ଶୁକ୍ରବାର ହୁଟି ପକ୍ଷରୁ ଇସ୍ରାଏଲୀ ଅଞ୍ଚଳକୁ ଟାର୍ଗେଟ କରି ମିଶାଇଲ୍ ମାଡ଼ କରାଯାଇଥିଲା। ଇସ୍ରାଏଲ୍ ବିରୋଧରେ ପ୍ରଥମ ଥର ପାଇଁ ଏଭଳି କ୍ଲଷ୍ଟର ଓ୍ବାର୍ହେଡ୍ ବ୍ୟବହାର କରିଥିଲା। ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ୍ ଏବଂ ହମାସ୍ ବିରୋଧରେ ଯୁଦ୍ଧ ଜାରି ରହିଥିବାବେଳେ ହୁଟି ଆତଙ୍କବାଦୀମାନେ ବିଭିନ୍ନ ସମୟରେ ଇସ୍ରାଏଲ୍କୁ ଟାର୍ଗେଟ କରି ମିଶାଇଲ୍ ଓ ଡ୍ରୋନ୍ ଆକ୍ରମଣ କରୁଛନ୍ତି। ହୁଟି ଆକ୍ରମଣ ଯୋଗୁ ଗତ ୨ ବର୍ଷ ମଧ୍ୟରେ ଲୋହିତ ସାଗରରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୨୦୨୩ ନଭେମ୍ବରରୁ ୨୦୨୪ ଡିସେମ୍ବର ମଧ୍ୟରେ ହୁଟି ଗ୍ରୁପ୍ ଶତାଧିକ ଜାହାଜକୁ ଟାର୍ଗେଟ କରି ମିଶାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଥିଲେ। ଯୁଦ୍ଧବିରତି ବେଳେ ଏହି ଆକ୍ରମଣ ସାମୟିକ ଭାବେ ବନ୍ଦ ରହିଥିବାବେଳେ ପୁନର୍ବାର ଆରମ୍ଭ ହୋଇଛି।