ଆଇନରେ ପରିଣତ ହେଲା ଅନଲାଇନ ଗେମିଂ ବିଲ

ସଂସଦର ଦୁଇ ସଦନର ମଂଜୁରୀ ପରେ ଅନଲାଇନ ବେଟିଂକୁ ନିଷିଦ୍ଧ କରୁଥିବା ଅନଲାଇନ ଗେମିଂ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ଏହା ପରେ ଏହି ବିଲ୍ ଆଇନରେ ପରିଣତ ହୋଇଛି । ଖୁବଶୀଘ୍ର ଏହି ଆଇନର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦେଶରେ ଅନଲାଇନ ବେଟିଂ ନିଷିଦ୍ଧ ହୋଇଯିବ । ଏହି ବିଲର ନାମ ଅନଲାଇନ ଗେମିଂ ବିଲ୍ ହୋଇଥିଲେ ବି ଏହା ଆଇନରେ ପରିଣତ ହେବା ପରେ ସବୁପ୍ରକାରର ଅନଲାଇନ ଗେମ ନିଷିଦ୍ଧ ହେବ ନାହିଁ । କେବଳ ମନି ଗେମ୍ସ ଅର୍ଥାତ୍ ଯେଉଁ ଆପ ମାଧ୍ୟମରେ ଅର୍ଥ ବାଜି ଲାଗୁଥିବ ସେଗୁଡ଼ିକୁ ନିଷିଦ୍ଧ କରାଯିବ। ତେବେ ସୋସିଆଲ ଗେମ୍ସ ଓ ଇ-ସ୍ପୋର୍ଟ୍ସ  ଉପରେ କୌଣସି କଟକଣା ଲାଗୁ ହେବ ନାହିଁ । ବରଂ ଏଗୁଡ଼ିକୁ ସରକାର ପ୍ରତ୍ସାହିତ କରିବେ ।

ଗତକାଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ଅନଲାଇନ ମନି ଗେମିଂ ଦେଶରେ ଯୁବପିଢିଙ୍କ ଲାଗି ଏକ ବଡ଼ ବିପଦରେ ପରିଣତ ହୋଇଛି । ଏହାର ମୋହରେ ପଡ଼ି ଲୋକମାନେ ସର୍ବସ୍ବାନ୍ତ ହେଉଛନ୍ତି, ମାନସିକଭାବେ ବିକୃତ ହେଉଛନ୍ତି କିମ୍ବା ହିଂସାତ୍ମକ ହେଉଛନ୍ତି । ଏକ ଅନୁମାନ ଅନୁସାରେ ପ୍ରାୟ ୪୫ କୋଟି ଲୋକ ଏଥିରେ ପ୍ରଭାବିତ ହୋଇ ପ୍ରାୟ ୨୦ ହଜାର କୋଟି ହରାଇଛନ୍ତି ।

Leave a comment