ଅଭିନେତା ବରୁଣ ଜୈନଙ୍କୁ ବିବାହ କଲେ ଗୋପୀ
ଫଟୋ ସେୟାର କରି ଜିୟା ଲେଖିଛନ୍ତି, “ଭଗବାନ ଏବଂ ଗୁରୁଙ୍କ କୃପାରୁ ଆମେ ସବୁଦିନ ପାଇଁ ଏକାଠି ହୋଇଛୁ। ହାତରେ ହାତ ମିଶାଇ, ହୃଦୟ ସହ ହୃଦୟ ମିଶାଇ। ଆମେ ଦୁଇ ବନ୍ଧୁ ଥିଲୁ ଏବଂ ଆଜି ଆମେ ସ୍ୱାମୀ-ସ୍ତ୍ରୀ ହୋଇଛୁ। ଏହି ଦିନକୁ ସ୍ୱତନ୍ତ୍ର କରିଥିବା ଲୋକଙ୍କ ଭଲପାଇବା, ଆଶୀର୍ବାଦ ଏବଂ ଶୁଭେଚ୍ଛା ପାଇଁ ମୁଁ ବହୁତ କୃତଜ୍ଞ।”
ବିବାହ ବନ୍ଧନରେ ବାନ୍ଧି ହୋଇ ଏପରି କହିଛନ୍ତି ଲୋକପ୍ରିୟ ଧାରାବାହିକ ‘ସାଥ୍ ନିଭାନା ସାଥିୟା’ ଅଭିନେତ୍ରୀ ଜିୟା ମାନେକ। ଧୁମଧାମରେ ବିବାହ କରିବା ପରିବର୍ତ୍ତେ ସେ ନିଜ ପରିବାରବର୍ଗଙ୍କ ଗହଣରେ ବିବାହ କରିଥିବା ଜଣାଯାଇଛି। ଜିୟା ସୋସିଆଲ ମିଡିଆରେ ତାଙ୍କ ବିବାହର ଫଟୋ ସେୟାର କରିବା ପରେ ଏହି ଖବର ସାମ୍ନାକୁ ଆସିଛି। ଫଟୋ ସେୟାର କରି ସେ ଅଭିନେତା ବରୁଣ ଜୈନଙ୍କୁ ବିବାହ କରିଥିବା ଜଣାଇଛନ୍ତି। ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଫଟୋରେ ଜିୟା ଏକ ସୁନେଲି ରଙ୍ଗର ଶାଢ଼ି ପିନ୍ଧିଥିବାର ଦେଖାଯାଇଛି। ଏହା ସହିତ ସେ ଟେମ୍ପୁଲ ଜୁଏଲାରୀ ପିନ୍ଧିଛନ୍ତି। ମଥାରେ ସିନ୍ଥି ସହ, ଗଳାରେ ହାର, କାନଫୁଲ ଏବଂ ହାତରେ ଲାଲ ଚୁଡ଼ି ପିନ୍ଧିଥିବା ଦେଖାଯାଇଛି।