ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କ ପାଇଁ କରାଗଲା ‘ଆଇ ଲଭ ଦାରିଙ୍ଗବାଡ଼ି’ ଉଲ୍ଲେଖ ଥିବା ଏକ ସେଲ୍ଫି ପଏଣ୍ଟ
ସେପ୍ଟେମ୍ବରଠାରୁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡ଼ି ଆଗମନ ହେବ। ଏଥିପାଇଁ ପର୍ଯ୍ୟଟକମାନେ ବିଭିନ୍ନ ହୋଟେଲ, ଲଜ, କଟେଜ, ରିସର୍ଟ ଆଦି ବୁକିଂ ଆରମ୍ଭ କଲେଣି। ଦାରିଙ୍ଗବାଡ଼ି ବୁଲି ଆସିବାକୁ ପର୍ଯ୍ୟଟକ ଯେତିକି ବ୍ୟାକୁଳ ଏବେ ତାହା ଠାରୁ ଅଧିକ ଦାରିଙ୍ଗବାଡ଼ିର ଜନସାଧାରଣ ଓ ପ୍ରଶାସନ।
ପ୍ରକାଶ ଯେ, ଦାରିଙ୍ଗବାଡ଼ିର ସମସ୍ତ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଜିଲା ପ୍ରଶାସନର ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ, ବାକିଗୁଡ଼ା ଆଇଟିଡିଏ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ଜୋରଦାର ପର୍ଯ୍ୟଟନର ଉନ୍ନତି ଓ ରୂପାନ୍ତର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟ ମୋବାଇଲ ରହିଥିବାରୁ ଦାରିଙ୍ଗବାଡ଼ିକୁ ବୁଲିଆସୁଥିବା ପର୍ଯ୍ୟଟକ ଫଟୋ ଉତ୍ତୋଳନ ପାଇଁ ସୁଯୋଗ ହାଡ଼ଛଡ଼ା କରନ୍ତି ନାହିଁ। ସମସ୍ତେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରନ୍ତି। ଏହାର ଫାଇଦା ନେବା ସହ ଦାରିଙ୍ଗବାଡ଼ିର ଅଧିକ ପ୍ରଚାର ପ୍ରସାର ପାଇଁ ବିଡିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଏବଂ କନିଷ୍ଠ ଯନ୍ତ୍ରି ଧୀରେନ ସେଠୀ ମିଳିତ ଯୋଜନା କରି ଡୁଲୁରୀ ପାଇନବଣ ଯେଉଁଠିକି ପର୍ଯ୍ୟଟନ ଋତୁରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସନ୍ତି। ସେଠାରେ ‘ଆଇ ଲଭ ଦାରିଙ୍ଗବାଡ଼ି’ ଉଲ୍ଲେଖ ଥିବା ଏକ ସେଲ୍ଫି ପଏଣ୍ଟ କରାଯାଇଛି। ଯେଉଁଠି ସାଙ୍ଗସାଥୀ, ପରିବାର ବସିକି ସେଲ୍ଫି ନେଇପାରିବେ ସେହି ବ୍ୟବସ୍ଥା ସହ ସେଲ୍ଫି ପଛରେ ଥିବା ପାଇନବଣ ସମେତ ‘ଆଇ ଲଭ ଦାରିଙ୍ଗବାଡ଼ି’ର ଫଟୋ ଉତ୍ତୋଳନ ହୋଇପାରିବ ସେହିଭଳି ଲୋକେସନରେ ବ୍ୟବସ୍ଥା କରାଯାଇଥିବା ବିଡିଓ ରଥ କହିଛନ୍ତି। ସେ ଆଶା ରଖିଛନ୍ତି ଏଭଳି ନୂଆ ପ୍ରୟାସ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିପାରିବ।