ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା
କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଗାମୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ । ଫଳରେ ରାଜ୍ୟରେ ଆଜିଠୁ ୩ ଦିନ ଧରି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ୧୪ ତାରିଖ ଅର୍ଥାତ ଆସନ୍ତାକାଲି କୋରାପୁଟ, ମାଲକାନଗିରିରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଥିବାବଳେ ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ । ୧୩ ରୁ ୧୬ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ସେପଟେ ଶ୍ରାବଣ ମାସରେ ବର୍ଷା ପାଇଁ ପୂଜା । ବର୍ଷା ପାଇଁ ଗ୍ରାମ ଦେବତାଙ୍କୁ ପୂଜାର୍ଚ୍ଚନା ସହ ଗୋବର ଲେପନ । ଶ୍ରାବଣ ଯାଇ ଭାଦ୍ରବ ଆସିଲାଣି, ହେଲେ ବର୍ଷାର ଦେଖା ନାହିଁ । ଚାଷୀଙ୍କ ସହ ଲୁଚକାଳି ଖେଳୁଛି ବର୍ଷା । ଚାଷ ଜମି ବର୍ଷା ଅଭାବ ଯୋଗୁଁ ଫାଟି ଆଁ କଲାଣି। ଜଳସେଚନର କୌଣସି ସୁବିଧା ନଥିବାରୁ ମରୁଡି ହେବା ଆଶଙ୍କା । ନିଜ ଚାଷକୁ ବଞ୍ଚାଇବା ପାଇଁ ଏବେ ଗ୍ରାମ ଦେବତାଙ୍କ ଶରଣ ପଶିଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କଲେଗାଁରେ । ଗାଁର ଚାଷୀ ରୁଆ ବେଉଷଣ କାର୍ଯ୍ୟ ଶେଷ କରିଛନ୍ତି । କିନ୍ତୁ ବର୍ଷା ନଥିବାରୁ ଗ୍ରାମବାସୀ ଏକାଠି ହୋଇ ଗାଁରେ ଥିବା ଜଳ ଭୀମା ଦେବତାଙ୍କ ପ୍ରତୀକ ଭୀମା ଖୁଣ୍ଟରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି । ଭୀମା ଦେବତାଙ୍କ ଖୁଣ୍ଟରେ ଗାଁର ମହିଳା ମାନେ ଗୋବର ଲେପନ କରି ପୂଜା କରିଛନ୍ତି।