ଇସ୍ରାଏଲ ଆକ୍ରମଣରେ ଜଜିରା ନ୍ୟୁଜ୍‌ ଚ୍ୟାନେଲର ୫ ଜଣ ସାମ୍ବାଦିକ ମୃତ

ଇସ୍ରାଏଲ ପକ୍ଷରୁ ରବିବାର ରାତିରେ ପାଲେଷ୍ଟାଇନର ଗାଜା ସହର ଉପରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଲ୍‌ ଜଜିରା ନ୍ୟୁଜ୍‌ ଚ୍ୟାନେଲର ୫ ଜଣ ସାମ୍ବାଦିକ ସାମିଲ ଅଛନ୍ତି। ଏମାନେ ହେଲେ ଆନାସ ଅଲ୍‌-ସରିଫ, ମହମ୍ମଦ କ୍ବେରିଖେ, ଇବ୍ରାହିମ ଜାହିର, ମୋମେନ ଆଲିୱା ଏବଂ ମହମ୍ମଦ ନୌଫାଲ। ଏମାନଙ୍କ ମଧ୍ୟରୁ ଇବ୍ରାହିମ, ମୋମେନ ଓ ନୌଫାଲ ହେଉଛନ୍ତି ଫଟୋ-ସାମ୍ବାଦିକ। ମୃତକମାନେ ଅଲ୍‌-ସିଫା ହସ୍ପିଟାଲ ସମ୍ମୁଖରେ ଥିବା ଏକ ତମ୍ବୁରେ ଆଶ୍ରୟ ନେଇଥିବାବେଳେ ଏଭଳି ଆକ୍ରମଣ କରାଯାଇଥିଲା। ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଆନାସ ଅଲ୍‌-ସରିଫ ପୂର୍ବରୁ ହମାସ୍‌ ଆତଙ୍କବାଦୀ ସଂଗଠନର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ଅଲ୍‌ ଜଜିରା ଚ୍ୟାନେଲରେ ସାମ୍ବାଦିକ ଚାକିରି ପାଇଥିଲେ। ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଯୁଦ୍ଧ ଲାଗିଥିବାବେଳେ ପ୍ରଥମ ଥର ଅଲ ଜଜିରା ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇଛି। ଅବଶ୍ୟ ଏହି ଯୁଦ୍ଧରେ ୨୦୦ରୁ ଅଧିକ ସାମ୍ବାଦିକଙ୍କର ପ୍ରାଣହାନି ଘଟିସାରିଲାଣି।

Leave a comment