ଆର୍ଟିକ୍ ମହାସାଗର ଉପରେ ୪୨ କିଲୋମିଟର ଯାତ୍ରା କରି ଇତିହାସ ରଚିଲେ ରାମଗୋପାଳ କୋଠାରୀ

୯୦ ଡିଗ୍ରି ଉତ୍ତରରେ ବରଫାୟିତ ଆର୍ଟିକ୍ ମହାସାଗର ଉପରେ ୪୨ କିଲୋମିଟର ଯାତ୍ରା କରି ଇତିହାସ ରଚିଛନ୍ତି ପଶ୍ଚିମବଙ୍ଗ ବଡ଼ବଜାର-ବାସିନ୍ଦା ରାମଗୋପାଳ କୋଠାରୀ। ସେ ଭୌଗୋଳିକ ଉତ୍ତର ମେରୁରେ ନିଜର ପ୍ରଥମ ପୂର୍ଣ୍ଣ ମାରାଥନରେ ଭାଗ ନେଇ ମାରାଥନ୍ ଶେଷ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ବଡ଼ବଜାରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ରାମଗୋପାଳ କହିଛନ୍ତି, ମୁଁ ବହୁତ ଖୁସି ଯେ ମୋର ପ୍ରଥମ ମାରାଥନ୍ ଶେଷ କରିଛି। ଏହା ସହିତ ସେ ପ୍ରଥମ ଭାରତୀୟ ଭାବେ ୯୦ ଡିଗ୍ରି ଉତ୍ତର ମେରୁର ଶିଖର ପର୍ଯ୍ୟନ୍ତ ସମସ୍ତ ୪୨ କିଲୋମିଟର ବରଫାୟିତ ଆର୍ଟିକ୍ ମହାସାଗର ଉପରେ ଦୌଡ଼ିବାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

କୋଠାରୀ କହିଛନ୍ତି, ପ୍ରଥମେ ମୁଁ ବରଫ ସହ ସଂଘର୍ଷ କରୁଥିଲି କିନ୍ତୁ ଦୌଡ଼ର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ଉଦୟ ହୋଇଥିଲା ଏବଂ ବରଫ ତରଳିବାକୁ ଲାଗିଲା। ଏହା ଏହି ଅଞ୍ଚଳକୁ ଆହୁରି ଚ୍ୟାଲେଞ୍ଜିଂ କରିଦେଇଥିଲା। ମୁଁ ମୋ ଜୋତାରେ ବରଫ ଓ ବରଫ-ପାଣି ଧରି ଦୌଡୁଥିଲି। ମୋ ପାଦ କୋଲ ମାରିଯାଉଥିଲା ଏବଂ ଅବସ୍ଥା ଅଧିକ ଖରାପ ହେବାରେ ଲାଗିଥିଲା। ତଥାପି ମୁଁ ଭାରତର ଭାବନାରେ ଅନୁପ୍ରାଣିତ ହୋଇ ଅଟଳ ରହିଥିଲି। ରାମଗୋପାଳ ହେଉଛନ୍ତି, ଦେଶର ଜଣେ ଉତ୍ସାହୀ ଦୁଃସାହସିକ ଯାତ୍ରୀ, ଯାହାଙ୍କ ଜୀବନବ୍ୟାପୀ ମିସନ ହେଉଛି ଅସାଧାରଣ ଜିନିଷ ଆବିଷ୍କାର କରିବା। ସେ ବର୍ତ୍ତମାନ ସୁଦ୍ଧା ସାତଟି ମହାଦେଶର ୬୯ଟି ଦେଶ ଭ୍ରମଣ କରିଛନ୍ତି।

Leave a comment