ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ୮୬୯.୮ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି
ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବାଦଶ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୧୭୮ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ୮୬୯.୮ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ବୈଠକରୁ ଜଣାପଡ଼ିଛି ଯେ ସୁବର୍ଣ୍ଣପୁରର ବୀରମହାରାଜପୁରରେ ପ୍ରୋଜିଏଲ୍ ଗ୍ରୀନ୍ ଏନର୍ଜି ଲିମିଟେଡ୍ ୬୯.୫ ମେଗାୱାଟ୍ ସୋଲାର୍ ପାର୍କ ସ୍ଥାପନ କରିବ। କେନ୍ଦୁଝରର ତେଲକୋଇରେ ଆଇନକ୍ସ୍ ସୋଲାର୍ ଲିମିଟେଡ୍ ୪୯.୫ ମେଗାୱାଟ୍ ସୋଲାର୍ ପ୍ରକଳ୍ପ, ଝାରସୁଗୁଡାର ଲଖନପୁରରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ୧୦ ମେଗାୱାଟ୍ ସୋଲାର୍ ପ୍ରକଳ୍ପ ଏବଂ ନବରଙ୍ଗପୁରର ପାପଡାହାଣ୍ଡିରେ ଏନ୍ଏଲ୍ସି ଦ୍ୱାରା ପବନ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ।
ଏହି ପ୍ରକଳ୍ପଗୁଡ଼ିକ ସମେତ ବର୍ତ୍ତମାନ ସୁଦ୍ଧା ସିଙ୍ଗଲ୍ ୱିଣ୍ଡୋ କମିଟି ମାଧ୍ୟମରେ ମୋଟ ୧୮୪୪.୮୬ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ମୋଟ ୧୨, ୫୯୯.୭୯ କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଗୁଡିକ ରାଜ୍ୟରେ ନୂତନ ରୋଜଗାର ସୃଷ୍ଟି କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ। ଆଜିର ବୈଠକରେ ଗ୍ରିଡ୍କୋର ପରିଚାଳନା ନିର୍ଦ୍ଦେଶକ ସତ୍ୟପ୍ରିୟ ରଥଙ୍କ ସମେତ ଗ୍ରିଡ୍କୋ ଏବଂ ଓଏଚ୍ପିସିର ନିର୍ଦ୍ଦେଶକ, ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍) ତଥା ପ୍ରମୁଖ ବିଦ୍ୟୁତ୍ ନିରୀକ୍ଷକ ଓ ଅନ୍ୟାନ୍ୟ ବରିଷ୍ଠ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଅକ୍ଷୟ ଶକ୍ତି ପ୍ରମୁଖ ସଂସ୍ଥା (ଆଇଇଏନ୍ଏ)ର ମୁଖ୍ୟ ପ୍ରକଳ୍ପ ପ୍ରବନ୍ଧକ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ଏହି ବୈଠକରେ ଉପସ୍ଥାପନ କରିଥିଲେ।