ଆଜି ଭାରତ ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ଚତୁର୍ଥ ମୁକାବିଲା ଆଜି(ବୁଧବାର)ଠାରୁ ମା‌ଞ୍ଚେଷ୍ଟର୍‌ର ଓଲ୍‌ଡ ଟ୍ରାଫୋର୍ଡ ଷ୍ଟାଡିୟମ୍‌ରେ ଖେଳାଯିବ । ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ଏଣୁ ଶୃଙ୍ଖଳା ବଞ୍ଚାଇବା ଲାଗି ମାଞ୍ଚେଷ୍ଟର୍ ମ୍ୟାଚ୍‌ ଭାରତ ଲାଗି କର ବା ମର ସଦୃଶ ହେବ । ଅର୍ଥାତ୍ ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ହେଲେ ଭାରତୀୟ କ୍ରିକେଟ୍ ଦଳକୁ ଏହି ମ୍ୟାଚ୍ ଜିତିବା କିମ୍ବା  ଅମୀମାଂସିତ(ଡ୍ର’) ରଖିବାକୁ ପଡ଼ିବ । ତାହା ଇଂଲଣ୍ଡ ୩-୧ର ଅପରାଜେୟ ଅଗ୍ରଣୀ ଲାଭ କରି ‘ଦି ଓଭାଲ’ଠାରେ ଜୁଲାଇ ୩୧ ତାରିଖରୁ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ମୁକାବିଲା ପୂର୍ବରୁ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ପ୍ରଥମ ବିଜେତା ହେବ । ସ୍ପିନର୍ ସୋଏବ ବଶିର ଆହତ ହେବା ପରେ ଇଂଲଣ୍ଡ ଏକମାତ୍ର ପରିବର୍ତ୍ତନ ଭାବେ ଭେଟେରାନ୍ ସ୍ପିନର ଲିଆମ ଡ’ସନ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି । ଡ’ସନ୍ ୮ବର୍ଷ ପରେ ଇଂଲଣ୍ଡ ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ।  ଭାରତ ପାଇଁ କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଲାଗି ଦଳ ବାଛିବା କାଠିକର ପାଠ ହେବାକୁ ଯାଉଛି । ଅଲରାଉଣ୍ଡର୍ ନୀତିଶ କୁମାର ରେଡ୍ଡୀ ଏବଂ ଦୁଇ ଦ୍ରୁତ ବୋଲର ଆକାଶଦୀପ ଓ ଅର୍ଶଦୀପ ସିଂହ ଏହି ମ୍ୟାଚ୍‌ରୁ ବାଦ୍ ପଡ଼ିସାରିଛନ୍ତି । ବି‌ଶେଷ କରି ବର୍ମିଂହାମ ଟେଷ୍ଟ୍‌ରେ ୧୦ ୱିକେଟ୍ ଅକ୍ତିଆର କରିଥିବା ଆକାଶ ଦୀପ ମାଞ୍ଚେଷ୍ଟର୍‌ ଟେଷ୍ଟ୍‌ରୁ ବାଦ୍ ପଡ଼ିବା ଭାରତ ପାଇଁ ବହୁତ ବଡ଼ ଝଟ୍‌କା ହୋଇଛି । ତାଙ୍କ ସ୍ଥାନ ନେବାକୁ ଥିବା ଅର୍ଶଦୀପ ସିଂହ ମଧ୍ୟ ଉପଲବ୍ଧ ନହେବା ଟିମ୍ ଇଣ୍ଡିଆ ପାଇଁ ଆ‌ଉ ଏକ ମସ୍ତବଡ଼ ସମସ୍ୟା ଭାବେ ଉଭା ହୋଇଛି । ଏଣୁ ହରିୟାଣାର ଯୁବ ବୋଲର ଅଂଶୁଲ କମ୍ବୋଜଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଯଶପ୍ରୀତ୍ ବୁମ୍‌ରା ଓ ମହମ୍ମଦ ସିରାଜ ପୂରା ଫିଟ୍ ଥିବା ଅଧିନାୟକ ଶୁବମନ୍ ଗିଲ୍ ସ୍ପଷ୍ଟ କରିଛନ୍ତି । ଭାରତ ଯଦି ତିନି ଜଣ ପେସର୍‌ଙ୍କୁ ନେଇ ପଡ଼ିଆକୁ ଓହ୍ଲାଏ, ତାହେଲେ ଅଂଶୁଲ ଏବଂ ପ୍ରଥମ ଦୁଇ ଟେଷ୍ଟ୍‌ରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରି ନଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭିତରୁ ଜଣଙ୍କୁ ସୁଯୋଗ ମିଳିପାରେ । ମାଞ୍ଚେଷ୍ଟର୍‌ରେ ଅଂଶୁଲ ‌ଟେଷ୍ଟ୍ ପଦାର୍ପଣ କରିବାର ଅତି ନିକଟରେ ଅଛନ୍ତି ବୋଲି ଗିଲ୍ କହିସାରିଛନ୍ତି । ଏଣୁ ପ୍ରସିଦ୍ଧ କ୍ରିଷ୍ଣାଙ୍କ ପରିବର୍ତ୍ତେ ଅଂଶୁଲ ଏହି ମ୍ୟାଚ୍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଇବା ଦାବି ଜୋର ଧରିଥିଲେ ମଧ୍ୟ ଦଳ ପକ୍ଷରୁ ତାଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ପନ୍ତ ୱିକେଟ୍ ରକ୍ଷଣ ଦାୟିତ୍ୱ ତୁଲାଇଲେ ନୀତିଶ କୁମାର ରେଡ୍ଡୀଙ୍କ ବଦଳରେ ସଂରକ୍ଷିତ ୱିକେଟ୍ ରକ୍ଷକ ଧ୍ରୁବ ଜୁରେଲ କିମ୍ବା ସାଇ ସୁଦର୍ଶନ ତାଙ୍କ ସ୍ଥାନ ନେଇ ପାରନ୍ତି ।

Leave a comment