୨୦୨୩-୨୪ ଆର୍ଥିକ ବର୍ଷରେ ୯୭୪୧.୭ କୋଟି ଟଙ୍କାରୁ ରାଜସ୍ବ ସଂଗ୍ରହ କରିଛି ବିସିସିଆଇ

ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯୭୪୧.୭ କୋଟି ଟଙ୍କାରୁ ରାଜସ୍ବ ସଂଗ୍ରହ କରିଛି। ଏଥିରେ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଯୋଗଦାନ ୫୯ ପ୍ରତିଶତ ରହିଛି। ଆଇପିଏଲ୍‌ରୁ ୫୭୬୧ କୋଟି ଟଙ୍କା ମିଳିଥିଲା ‌ବେଳେ ବୋର୍ଡ ୩୬୧ କୋଟି ଟଙ୍କା ଅଣଆଇପିଏଲ୍‌ ମିଡିଆ ରାଇଟ୍‌ସରୁ ପାଇଥିଲା। ୨୦୦୮ରେ ଆଇପିଏଲ୍‌ ଆରମ୍ଭରୁ ବିସିସିଆଇକୁ ଲାଭ ଦେଇଆସୁଛି। ଖାଲି ବିସିସିଆଇ ନୁହେଁ ରଣଜୀ ସହ ବିଭିନ୍ନ ସ୍ତରର ଖେଳାଳି ମଧ୍ୟ ଏହା ଦ୍ବାରା ଲାଭବାନ ହେଉଛନ୍ତି।

ବିସିସିଆଇର ରାଜସ୍ବ ବୃଦ୍ଧି ଦେଖି ଅନ୍ତର୍ଜାତୀୟ କ୍ରିକେଟ୍‌ ବୋର୍ଡଗୁଡ଼ିକ ସହଭାଗିତା ଲାଗି ଆଗ୍ରହ ଦେଖାଉଛନ୍ତି। ଭାରତୀୟ ପୁରୁଷ ଖେଳାଳିଙ୍କୁ ଆକୃଷ୍ଟ କରିବା ଲାଗି ଦ ହଣ୍ଡ୍ରେଡ୍‌ ପ୍ରତିଯୋଗିତାର କିଛି ଅଂଶ ଭାରତକୁ ଦେବାକୁ ଲଙ୍କାସାୟାର କାଉଣ୍ଟି କ୍ରିକେଟ୍‌ କ୍ଲବ୍‌ ସର୍ବଦା ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି)କୁ ପରାମର୍ଶ ଦେଉଛି।

Leave a comment