ଯାତ୍ରୀମାନଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ରେଳ ଡବା ଓ ଇଞ୍ଜିନରେ ଲାଗିବ ସିସିଟିଭି

ଯାତ୍ରୀମାନଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ସମସ୍ତ ଡବାରେ ସିସିଟିଭି ଲଗାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ପରୀକ୍ଷଣ ସଫଳ ହେବା ପରେ ୭୪ ହଜାର ଡବା ଓ ୧୫ ହଜାର ଇଞ୍ଜିନରେ ରେଳବାଇ ସିସିଟିଭି ଲଗାଇବ। ପ୍ରତି ଡବାରେ ଚାରିଟି ଏବଂ ଇଞ୍ଜିନରେ ୬ଟି ଲେଖାଏଁ ସିସିଟିଭି ଲଗାଇବ। ‌ସେଥିରୁ ଟ୍ରେନ୍ ୧୦୦ କିମି ବେଗରେ ଦୌଡ଼ୁଥିବା ବେଳେ ଏବଂ କମ୍ ଆଲୋକ ଭଳି ସ୍ଥିତିରେ ମଧ୍ୟ ଉନ୍ନତ ମାନର ଫୁଟେଜ୍ ହାସଲ କରାଯାଇପାରିବ। ଯାତ୍ରୀମାନଙ୍କ ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା ପାଇଁ ସିସିଟିଭିଗୁଡ଼ିକୁ ସାଧାରଣ ଚଳପ୍ରଚଳ ସ୍ଥାନ ଯଥା କବାଟ ପାଖରେ ଲଗାଯିବ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ରେଳ ରାଷ୍ଟ୍ରମନ୍ତ୍ରୀ ରବ୍‌ନୀତ ସିଂହ ବିଟୁ ସିସିଟିଭି ସ୍ଥାପନ ଅଗ୍ରଗତିର ସମୀକ୍ଷା କରିଛନ୍ତି। ବୈଠକରୁ ଜଣାପଡ଼ିଛି ଯେ ରେଳ ଡବାରେ ସାମ୍ନା ଓ ପଛ ପାର୍ଶ୍ବରେ ଏବଂ ‌ଇଞ୍ଜିନର ଉଭୟ ପାର୍ଶ୍ବରେ ସିସିଟିଭି ଲାଗିବ। ଉଭୟ ଡୋମ୍ କ୍ୟାମେରା ଓ ଡେକ୍ସ କ୍ୟାମେରାକୁ ବ୍ୟବହାର କରାଯିବ। ସିସିଟିଭିର ଉପଯୁକ୍ତ ବ୍ୟବହାର ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରିବା ଉପରେ ଧ୍ୟାନ ଦେବାକୁ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସିସିଟିଭି ଲାଗିବା ପରେ ଟ୍ରେନ୍‌ରେ ଅସାଧୁ ତତ୍ତ୍ବ ଓ ଗ୍ୟାଙ୍ଗ ହୋଇ ଯାତ୍ରୀମାନଙ୍କୁ ହଇରାଣ କରୁଥିବା ତତ୍ତ୍ବମାନଙ୍କ ଉପରେ ନଜର ରଖାଯାଇପାରିବ। ସେହି ଧରଣର ଘଟଣା ଆଗାମୀ ଦିନରେ କମ୍ ହେବ।

Leave a comment