କାନାଡା ଉପରେ ପଡ଼ିଲା ଟ୍ରମ୍ପଙ୍କ ଟାରିଫ୍ ଛାଟ
କାନାଡା ଉପରେ ପଡ଼ିଲା ଟ୍ରମ୍ପଙ୍କ ଟାରିଫ୍ ଛାଟ। ଶୁକ୍ରବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାରୁ ଆସୁଥିବା ଉତ୍ପାଦ ଉପରେ ୩୫% ର ଭାରୀ ଶୁଳ୍କ (ଆମଦାନୀ ଶୁଳ୍କ) ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ଶୁଳ୍କ ୧ ଅଗଷ୍ଟ, ୨୦୨୫ରୁ କାର୍ଯ୍ୟକାରୀ ହେବ ଏବଂ ଆମେରିକାରେ ପ୍ରବେଶ କରୁଥିବା ସମସ୍ତ କାନାଡା ଉତ୍ପାଦ ଉପରେ ଲାଗୁ ହେବ। ଟ୍ରମ୍ପ ଏହି ନିଷ୍ପତ୍ତିକୁ କାନାଡାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ଅନୁଚିତ ବାଣିଜ୍ୟ ଆଚରଣର ଜବାବ ବୋଲି କହିଛନ୍ତି।ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ, କାନାଡା, ଆମେରିକାକୁ ଫେଣ୍ଟାନିଲ୍ ଭଳି ବିପଜ୍ଜନକ ଔଷଧର ଯୋଗାଣ ବନ୍ଦ କରିବାରେ ବିଫଳ ହୋଇଛି। ଏହାକୁ ଆମେରିକୀୟ ସମାଜ ପାଇଁ ଏକ ଗମ୍ଭୀର ବିପଦ ବୋଲି କହି ସେ କହିଛନ୍ତି ଯେ, ‘ଏବେ ଆମେରିକାର ସୁରକ୍ଷା ଏବଂ ଅର୍ଥନୀତିକୁ ପ୍ରାଥମିକତା ଦେବାର ସମୟ ଆସିଛି। ଦେଶରେ ବ୍ୟାପିଥିବା ଫେଣ୍ଟାନିଲ୍ ସଙ୍କଟକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ପୂର୍ବରୁ ଶୁଳ୍କ ଲାଗୁ କରିଛି। କାନାଡା ଏପରି କରିବାରେ ବିଫଳ ହେବା ଦ୍ୱାରା ଏହି ସଙ୍କଟ ଆହୁରି ତୀବ୍ର ହୋଇଛି। ଯଦି କୌଣସି କାନାଡିୟ କମ୍ପାନୀ ଏହି ଶୁଳ୍କ ଏଡାଇବା ପାଇଁ ତୃତୀୟ ଦେଶ (ଟ୍ରାନ୍ସସିପମେଣ୍ଟ) ମାଧ୍ୟମରେ ଉତ୍ପାଦ ପଠାଏ, ତେବେ ଏହା ଉପରେ ମଧ୍ୟ ଏହି ଶୁଳ୍କ ଲାଗୁ ହେବ। ଯଦି କାନାଡା ଯେକୌଣସି କାରଣରୁ ଶୁଳ୍କ ବୃଦ୍ଧି କରେ, ତେବେ ଆମେ ବି ୩୫%ରେ ସେମାନେ ବଢ଼ାଇଥିବା ଶୁଳ୍କ ମିଶାଇ ଶୁଳ୍କ ବୃଦ୍ଧି କରିବୁ।”