ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ । ଫଳରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନରତ ଡ୍ରାଇଭର ମହାସଂଘ ସହ ପରିବହନ ମନ୍ତ୍ରୀଙ୍କ ୪ଘଣ୍ଟା ଧରି ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସେମାନଙ୍କ ଦାବି ଉପରେ ଆଲୋଚନା ହୋଇଥିବା ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ସେମାନଙ୍କ ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ । ବିଭିନ୍ନ ଶିଳ୍ପରେ ଡ୍ରାଇଭରଙ୍କୁ ନିଯୁକ୍ତି ଏବଂ ରାଜ୍ୟ ରାଜପଥରେ ସେମାନଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ କରିବା ଦିଗରେ ଆଲୋଚନା ହୋଇଛି । ବୈଠକରେ କିନ୍ତୁ ଡ୍ରାଇଭର ମହାସଂଘର ସଭାପତି ଯୋଗ ଦେଇନଥିଲେ । ତାଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସଂଘ କହିଛି ।୭ଦଫା ଦାବି ନେଇ ମଙ୍ଗଳବାର ଠାରୁ ରାଜ୍ୟବ୍ୟାପି ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଛନ୍ତି ଡ୍ରାଇଭର ମହାସଂଘ । ଡ୍ରାଇଭରଙ୍କ ପାଇଁ ବୀମା, ପେନସନ, ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ନିର୍ମାଣ ଲାଗି ଦାବି ହୋଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।