ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ କମିଶନରେଟ ପୁଲିସ ଅଭିଯୁକ୍ତ ବିଜେପି ନେତା ତଥା ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି। ଗୁରୁବାର ରାତିରେ ଜଗନ୍ନାଥ ଭୁବନେଶ୍ଵର ଡିସିପି ଅଫିସରେ ପହଞ୍ଚି ଆତ୍ମସମର୍ପଣ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ଜଗାଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।ଡିସିପି ଅଫିସରେ ପହଞ୍ଚିବା ପରେ ଜଗା କହିଥିଲେ ଯେ, ସେ ତଦନ୍ତରେ ସହଯୋଗ କରିବେ। ପୂର୍ବରୁ ଏହି ଘଟଣାରେ ୫ ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମି ମହାପାତ୍ର ଏବଂ ଦେବାଶିଷ ପ୍ରଧାନ ପ୍ରମୁଖ ରହିଥିଲେ। ପୁଲିସ ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିଛି।ଅନ୍ୟପଟେ ଜଗା ଡିସିପି କାର୍ଯ୍ୟାଳୟରେ ପହଞ୍ଚିବା ଖବର ପାଇ ତାଙ୍କର ଶତାଧିକ ସମର୍ଥକ ବାଣୀବିହାରଠାରେ ରାସ୍ତାରୋକୋ କରି ପ୍ରତିବାଦ କରିଥିଲେ। ଜଗା ନିର୍ଦୋଷ, ତାଙ୍କୁ କାହିଁକି ଗିରଫ କରାଯିବ ବୋଲି କହି ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ସୋମବାର ଭୁବନେଶ୍ଵର ମହାନଗର ନିଗମ(ବିଏମସି) କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା। ଅତିରିକ୍ତ କମିଶନର ରତ୍ନାକର ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ସମୟରେ ହଠାତ ଶାସକ ଦଳର ଜଣେ କର୍ପୋରେଟର ଜୀବନ ରାଉତ ଏବଂ ତାଙ୍କର କିଛି ସମର୍ଥକ ପହଞ୍ଚି ଅତିରିକ୍ତ କମିଶନର ସାହୁଙ୍କୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣିଥିଲେ। କେବଳ ଏତିକି ନୁହେଁ, ତାଙ୍କୁ ୫/୬ ଜଣ ବ୍ୟକ୍ତି ବିଧା ଗୋଇଠା ମାରି ଚାଲିଥିଲେ। ଯାହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଭୟଙ୍କର ମଧ୍ୟ ଥିଲା।