ସର୍ଭାଇକାଲ ଆଥ୍ରାଇଟିସ୍ ରୋଗରେ ଆକ୍ରାନ୍ତ ନବୀନ , ଆଜି ଚିକିତ୍ସା ପାଇଁ ଯିବେ ମୁମ୍ବାଇ

ଚିକିତ୍ସା ପାଇଁ ଆଜି ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ । ସକାଳ ୧୦ଟାରେ ସର୍ଭାଇକାଲ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଅଛନ୍ତି। ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।  ଆସନ୍ତା ୨୨ ତାରିଖରେ ମୁମ୍ବଇରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ। ସର୍ଭାଇକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ଥିବାରୁ ଚିକିତ୍ସିତ ହେବେ। ମୁମ୍ବଇରେ ଥିବା କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ। ସେଠାରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ।‌ ନବୀନଙ୍କ ଅନୁପସ୍ଥିତିରେ ବିଜୁ ଜନତା ଦଳ ପରିଚାଳନା କରିବ ରାଜନୈତିକ ବ୍ୟାପାର କମିଟି। ଏହି କମିଟି ଦଳର ଦୈନନ୍ଦିନ କଥା ବୁଝିବ। ସେହିପରି ଦଳର ବିଭିନ୍ନ ସାମ୍ମୁଖ୍ୟର କାର୍ଯ୍ୟକ୍ରମ ବିଷୟରେ ଦଳର ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦେବୀ ପ୍ରସାଦ ମିଶ୍ର ସମନ୍ବୟ ରକ୍ଷା କରିବେ। ଏନେଇ ବୁଧବାର ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଏକ ନିର୍ଦେଶନାମା ଜାରି କରିଥିଲେ। ଶ୍ରୀ ପଟ୍ଟନାୟକ ଚିକିତ୍ସା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମାଗିଛନ୍ତି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ମଧ୍ୟ ଲୋଡ଼ିଛନ୍ତି। ‘ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି’ ବୋଲି ସେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଶ୍ରୀ ପଟ୍ଟନାୟକ ପୋଷ୍ଟ କରିବା ପରେ ତାଙ୍କର ସମର୍ଥକ ସାମାଜିକ ଗଣମାଧ୍ୟମ ଜରିଆରେ ଶୁଭେଚ୍ଛା ଜଣାଇବା ସହ ଆରୋଗ୍ୟ କାମନା କରିଛନ୍ତି।

Leave a comment