ପରଦାକୁ ଆସିବ ସୁଶାନ୍ତ ଓ ରିଆଙ୍କ ପ୍ରେମ କାହାଣୀ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ୍ ୨୦୨୦ ରେ ଏ ଦୁନିଆ ଛାଡି ଚାଲିଯାଇଥିଲେ। ତାଙ୍କ ଶୋଇବା ଘରୁ ତାଙ୍କର ମୃତଦେହ ମିଳିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ତାଙ୍କ ଦେହାନ୍ତଙ୍କୁ ୫ବର୍ଷ ବିତିଥିବା ବେଳେ ପ୍ରଶଂସକମାନେ ଏବେ ବି ତାଙ୍କୁ ବହୁତ ମନେ ପକାଉଛନ୍ତି। ତେବେ ସୁଶାନ୍ତଙ୍କ ପଞ୍ଚମ ମୃତ୍ୟୁ ବାର୍ଷିକୀରେ ପ୍ରଶଂସକମାନଙ୍କୁ ଏକ ଉପହାର ମିଳିଛି। ନିର୍ଦ୍ଦେଶକ ରୁମି ଜାଫରୀ ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ତଥାକଥିତ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ପ୍ରେମ କାହାଣୀ ଉପରେ ଏକ ଫିଲ୍ମ ତିଆରି କରିବା ନେଇ ଘୋଷଣା କରିଛନ୍ତି। ରୁମି ବର୍ତ୍ତମାନ ସ୍କ୍ରିନପ୍ଲେ ଉପରେ କାମ କରୁଛନ୍ତି। ଫିଲ୍ମର କାଷ୍ଟକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି।

ରୁମି ଜାଫରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ମୁଁ ଏବେ ବି ସୁଶାନ୍ତଙ୍କୁ ମୋ ଚାରିପାଖରେ ଅନୁଭବ କରିପାରୁଛି। ତାଙ୍କ ଚାରିପାଖ ସବୁବେଳେ ଖୁସି ଏବଂ ଉତ୍ସାହରେ ପରିପୂର୍ଣ୍ଣ ଥିଲା। ସେ ବହୁତ ଅସ୍ଥିର ଆତ୍ମା ​​ଥିଲେ। ସେ ଗୋଟିଏ ମିନିଟ୍ ପାଇଁ ମଧ୍ୟ ସ୍ଥିର ହୋଇ ବସି ପାରୁ ନଥିଲେ। ମୁଁ ତାଙ୍କ ଚାଲିବା, କଥା ହେବା ଏବଂ ତାଙ୍କ ସହିତ ରହି କ୍ଳାନ୍ତ ହୋଇଯାଉଥିଲି। ଏବଂ ତାଙ୍କ ପ୍ରେମିକା ରିଆ ସବୁବେଳେ ତାଙ୍କ ସହିତ ଥିଲେ ଏବଂ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲେ। ସୁଶାନ୍ତ ଆମ ସହିତ ଥିବା ସମୟରେ ମୋ ମନରେ ତାଙ୍କ ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ଫିଲ୍ମ କରିବି ବୋଲି ଯୋଜନା କରିଥିଲି। ରିୟା ପ୍ରତି ତାଙ୍କର ପ୍ରେମ କୌଣସି ସାଧାରଣ କଥା ନଥିଲା। ସେ ତାଙ୍କ ପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନଥାନ୍ତେ।’

କୁହାଯାଉଛି ଯେ, ଫିଲ୍ମରେ ସୁଶାନ୍ତଙ୍କ ଚରିତ୍ର ପାଇଁ ରୁମୀ ବେଦାଙ୍ଗଙ୍କୁ ନେବା ପାଇଁ ଚିନ୍ତ‌ା କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ଘୋଷଣା ହୋଇନାହିଁ।

Leave a comment