ଇସ୍ରାଏଲ ଉପରେ ପରମାଣୁ ବୋମା ପକାଇବ ପାକିସ୍ତାନ

ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଇରାନର ଜଣେ ବରିଷ୍ଠ ସେନା ଅଧିକାରୀ ଇସ୍ରାଏଲକୁ ପରମାଣୁ ଅସ୍ତ୍ରର ଧମକ ଦେଇଛନ୍ତି। ଇରାନର ସେନା ଅଧିକାରୀ ମୋହସେନ ରେଜାଏ କହିଛନ୍ତି ଯେ ଇସ୍ରାଏଲ ଯଦି ଆମ ଉପରେ ପରମାଣୁ ବୋମା ପକାଏ ତେବେ ଆମ ପକ୍ଷରୁ ପାକିସ୍ତାନ ଏହାର ପ୍ରତି ଜବାବ ଦେବ। ଅର୍ଥାତ୍‌ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ପାକିସ୍ତାନ ପରମାଣୁ ବୋମା ପକାଇବ। ଇରାନ ଜାତୀୟ ସୁରକ୍ଷା ପରିଷଦର ସଦସ୍ୟ ଥିବା ମୋହସେନ ଦେଶର ଜାତୀୟ ଟେଲିଭିଜନ ଚାନେଲଙ୍କୁ ସମ୍ବୋଧନ କରିବା କାଳରେ ଏପରି ଦାବି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଆମକୁ ପ୍ରତିଶ୍ରୁତି ଦେଇଛି ଯେ ଇସ୍ରାଏଲ ଯଦି ଇରାନ ଉପରେ ପରମାଣୁ ଆକ୍ରମଣ କରେ ତେବେ ଇସଲାମାବାଦ ଏହାର ଜାବବ ଦେବ।

ତେବେ ମୋହସେନଙ୍କ ଏପରି ଦାବିରୁ ପାକିସ୍ତାନ ନିଜକୁ ଦୂରେଇ ରଖିଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ କହିଛନ୍ତି ଯେ ପାକିସ୍ତାନର ପରମାଣୁ ଅସ୍ତ୍ର ନିଜ ଦେଶ ଓ ନିଜର ନାଗରିକଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ପାକିସ୍ତାନ ସମସ୍ତ ପ୍ରକାର ଆନ୍ତର୍ଜାତିକ ପରମାଣୁ ନିୟମକୁ ଅନୁସରଣ କରିବା ଲାଗି ଚୁକ୍ତିବଦ୍ଧ ହୋଇଛି। ଇରାନକୁ ପରମାଣୁ ଅସ୍ତ୍ର ଯୋଗାଣ ପାଇଁ ପାକିସ୍ତାନ କୌଣସି ପ୍ରକାର ସରକାରୀ ଘୋଷଣା କରି ନଥିବା ଆସିଫ୍ କହିଛନ୍ତି। ଇରାନକୁ ପରମାଣୁ ଅସ୍ତ୍ର ଯୋଗାଣ କରିବା ପ୍ରସଙ୍ଗକୁ ଖଣ୍ଡନ କରିଥିବା​ ଆସିଫ୍ ପୂର୍ବରୁ କହିଥିଲେ ଯେ ମୁସଲମାନ ରାଷ୍ଟ୍ରଗୁଡିକ ଇରାନ ବିରୋଧରେ ଏକଜୁଟ୍ ହେବା ଦରକାର। ​‌ଏଥିପାଇଁ ଇସଲାମିକ ସମନ୍ବୟ ସଂଗଠନ (ଓଆଇସି)ର ବୈଠକ ଡାକିବା ପୂର୍ବକ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବା ଲାଗି ସେ ଗୁରୁତ୍ବାରୋପ କରିଥିଲେ।

ରବିବାର ଇସ୍ରାଏଲ କହିଥିଲା ଯେ ଏହା ଇରାନ ବିରୋଧରେ ଏକ ବ୍ୟାପକ ଆକ୍ରମଣ କରିଛି। ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟ, ଏସ୍‌ପିଏନଡି ପରମାଣୁ ପ୍ରକଳ୍ପ, ସାମରିକ ପ୍ରତିଷ୍ଠାନ ଓ କ୍ଷେପଣାସ୍ତ୍ର ଉତ୍ପାଦନ କେନ୍ଦ୍ର ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଇରାନର ୯ଜଣ ପ୍ରମୁଖ ପରମାଣୁ ବିଜ୍ଞାନୀଙ୍କର ମୃତ୍ୟୁ ହୋଇଛି। ଯେଉଁମାନେ କି ଇରାନର ପରମାଣୁ ଅସ୍ତ୍ର ତିଆରି କାର୍ଯ୍ୟର ଦାୟିତ୍ବ ନିର୍ବାହ କରିଆସୁଥିଲେ। ଇସ୍ରାଏଲ ପାଖରେ ପରମାଣୁ ଅସ୍ତ୍ର ଅଛି କି ନାହିଁ ତାହା ଅସ୍ପଷ୍ଟ। ନିଜ ପାଖରେ ପରମାଣୁ ଅସ୍ତ୍ର ଅଛି କି ନାହିଁ ତାହା ଇସ୍ରାଏଲ ସ୍ବୀକାର କିମ୍ବା ଅଗ୍ରାହ୍ୟ କରୁ ନାହିଁ। ଅନ୍ୟପଟେ ଇରାନ କହିଛି ଯେ ଏହା ପାଖରେ ପରମାଣୁ ଅସ୍ତ୍ର ନାହିଁ। ଇରାନ ପରମାଣୁ ନିରସ୍ତ୍ରୀକରଣ ଚୁକ୍ତି (ଏନପିଟି)ରେ ସ୍ବାକ୍ଷର କରିଛି। ତେବେ ଆନ୍ତର୍ଜାତିକ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ କୁହାଯାଉଛି ଯେ ଇରାନ ଗୁପ୍ତରେ ପରମାଣୁ ଅସ୍ତ୍ର ତିଆରି ଚଳାଇଛି। ନିଜର ପରମାଣୁ କାର୍ଯ୍ୟକ୍ରମ ପାଇଁ ଇରାନ ଆମେରିକାର ଆକ୍ରୋଶର ଶିକାର ହେବା ସହିତ ଇସ୍ରାଏଲ ପଟୁ ଆକ୍ରମଣର ସମ୍ମୁଖୀନ ହୋଇଛି। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ଜାରି ରହିଛି। ସୋମବାର ଯୁଦ୍ଧର ୪ର୍ଥ ଦିନରେ ଇସ୍ରାଏଲ ଉପରେ ଇରାନ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରିଛି। ଇସ୍ରାଏଲର ତେଲଆଭିଭ୍, ହାଇଫା, ପେଠା ଟିକଭା ଆଦି ସହର ଉପରେ ଇରାନ କ୍ଷେପଣାସ୍ତ୍ର ମାଡ କରିଛି। ଏଥିରେ ଇସ୍ରାଏଲର ୫ଜଣ ନାଗରିକ ପ୍ରାଣ ହରାଇବା ସହିତ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଇରାନର ଆକ୍ରମଣରେ ଇସ୍ରାଏଲର ୨୦ରୁ ଅଧିକ ନାଗରିକ ପ୍ରାଣ ହରାଇଲେଣି। ସେହିପରି ଇସ୍ରାଏଲ ମଧ୍ୟ ଏହାର ଆକ୍ରମଣ ଜାରି ରଖିଛି। ଇସ୍ରାଏଲର ଆକ୍ରମଣରେ ଇରାନର ୨୨୪ ନାଗରିକ ପ୍ରାଣ ହରାଇଲେଣି। ସୋମବାର ଇରାନର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ମୁଖ୍ୟାଳୟ (ଆଇଆରଆଇବି) ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଛି। କ୍ଷେପଣାସ୍ତ୍ର ମାଡରେ ଆଇଆରଆଇବି ଜଳିଉଠିଛି। କ୍ଷେପଣାସ୍ତ୍ର ମାଡ ସମୟରେ କାର୍ଯ୍ୟାଳୟ ମଧ୍ୟରେ ଖବର ପାଠ କରୁଥିବା ଆଙ୍କର ଜଣଙ୍କ ଦୌଡି ପଳାଇବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି।

Leave a comment