ଦ୍ବିତୀୟ ବର୍ଷ ପାଇଁ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ଟ୍ରଫି ଜିତି ନେଇଛନ୍ତି ଆଲ୍କାରାଜ୍
ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଅପୂର୍ବ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍ରେ ପ୍ରଥମ ସିଡ୍ ଓ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଇଟାଲିର ଜାନିକ ସିନ୍ନରଙ୍କୁ ନାଟକୀୟ ଭାବେ ୪-୬, ୬-୭ (୪-୭), ୬-୪, ୭-୬ (୭-୩), ୭-୬ (୧୦-୨)ସେଟ୍ରେ ପରାସ୍ତ କରି ଦ୍ବିତୀୟ ସିଡ୍ ସ୍ପେନ୍ର କାର୍ଲୋସ୍ ଆଲ୍କାରାଜ୍ ଲଗାତାର ଦ୍ବିତୀୟ ବର୍ଷ ପାଇଁ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ଟ୍ରଫି ଜିତି ନେଇଛନ୍ତି। ଗତବର୍ଷ ଏଠାରେ ନିଜର ପ୍ରଥମ ଟ୍ରଫି ଜିତିଥିବା ଆଲ୍କାରାଜ୍ଙ୍କ କ୍ୟାରିୟର୍ର ଏହା ପଞ୍ଚମ ଗ୍ରାଣ୍ଡ୍ସ୍ଲାମ୍ ବିଜୟ ହୋଇଛି। ରବିବାର ୨୨ ବର୍ଷୀୟ ଆଲ୍କାରାଜ୍ ଫ୍ରେଞ୍ଚ ଓପନ୍ ଫାଇନାଲ୍ର ଅନ୍ୟତମ ସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଥମ ଦୁଇ ସେଟ୍କୁ ହାରିବା ପରେ ପରବର୍ତ୍ତୀ ତିନି ସେଟ୍ ଜିତି ସିନ୍ନରଙ୍କ ପଞ୍ଝାରୁ ଟ୍ରଫି ଛଡ଼ାଇ ନେଇଥିଲେ। ସେ ମଧ୍ୟ ତିନିଟି ଚାମ୍ପିଅନ୍ସିପ୍ ପଏଣ୍ଟ୍ ବଞ୍ଚାଇ ଫ୍ରେଞ୍ଚ୍ ଓପନ୍ ବିଜେତା ହେବାରେ ପ୍ରଥମ ଖେଳାଳି ହେବାର ଐତିହାସିକ ସଫଳତା ଲାଭ କରିଥିଲେ। ଫଳରେ ସିନ୍ନରଙ୍କ ପ୍ରଥମ ଫ୍ରେଞ୍ଚ ଓପନ୍ ବିଜୟ ସ୍ବପ୍ନ୍ ଭାଙ୍ଗି ଚୂରମାର୍ ହୋଇଯାଇଥିଲା। ଆଜି ଫାଇନାଲ୍ର ୫ଟିରୁ ତିନିଟି ସେଟ୍ ଟାଇବ୍ରେକର୍ରେ ଫୈସଲା ହେବା ବି ଉଲ୍ଲେଖନୀୟ ରହିଥିଲା।
ସେହିଭଳି ପଞ୍ଚମ ମାନ୍ୟତାପ୍ରାପ୍ତ ସ୍ପେନ୍-ଆର୍ଜେଣ୍ଟିନା ଯୋଡ଼ି ମାର୍ସେଲ୍ ଗ୍ରାନୋଲର୍ସ ଓ ହୋରାସିଓ ଜିବାଲୋସ ନିଜ ନିଜ ଖେଳ ଜୀବନର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିଛନ୍ତି। ରବିବାର ଫ୍ରେଞ୍ଚ୍ ଓପନ୍ ପୁରୁଷ ଯୁଗଳ ଫାଇନାଲ୍ରେ ଗ୍ରାନୋଲର୍ସ-ଜିବାଲସ୍ ୬-୦, ୬-୭ (୫), ୭-୫ରେ ବ୍ରିଟିସ୍ ଯୋଡ଼ି ଜୋ ସାଲିସବରି ଓ ନିଲ୍ ସୁପ୍ସିଙ୍କୁ ପରାସ୍ତ କରି ଏହି ସ୍ବପ୍ନ ସାକାର କରିଛନ୍ତି।