ବିଶ୍ୱର ହକି ପ୍ରଶଂସକଙ୍କୁ ଅପେକ୍ଷା କରିଛି ଓଡ଼ିଶା : ମୁଖ୍ୟମନ୍ତ୍ରୀ

ବିଶ୍ୱର ହକି ପ୍ରଶଂସକଙ୍କୁ ଅପେକ୍ଷା କରିଛି ଓଡ଼ିଶା : ମୁଖ୍ୟମନ୍ତ୍ରୀ

ମେଟ୍ରୋ ଓଡିଶା (୧୫.୪.୨୦୨୨ )

ଓଡ଼ିଶାରେ ଆଉ ଏକ ହକି ମହାକୁମ୍ଭର ବିଗୁଲ ବାଜିଛି। ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପର ପଞ୍ଚଦଶତମ ସଂସ୍କରଣ -୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବ। ଉକ୍ତ ହକି ମହାକୁମ୍ଭ ଆଉ ଏକ ବର୍ଷରୁ କମ୍‌ ସମୟ ରହିଥିବା ବେଳେ ଗୁରୁବାର ଲୋଗୋ ଉନ୍ମୋଚିତ ହୋଇଯାଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ ଭୁବନେଶ୍ୱର- ରାଉରକେଲାର ଲୋଗୋ ଉନ୍ମୋଚିତ କରିଥିଲେ। ଭାରତ ଓ ଜର୍ମାନୀ ପୁରୁଷ ହକିଦଳର ଖେଳାଳିଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋଗୋକୁ ଉନ୍ମୋଚିତ କରିଥିଲେ। ଓଡ଼ିଶା ବିଶ୍ୱ ହକିର ହବ୍‌ରେ ପରିଣତ ହୋଇଛି। କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ହକି ମହାକୁମ୍ଭ ଓଡ଼ିଶା ଆୟୋଜନ କରିବାକୁ ଯାଉଛି। ୨୦୧୮ ପୁରୁଷ ହକି ବିଶ୍ୱକପର ସଫଳତା ସ୍ମରଣୀୟ ହୋଇ ରହିଛି। ଆଉ ଏକ ବିଶ୍ୱକପ ଆୟୋଜନ ନେଇ ଓଡ଼ିଶା ପ୍ରସ୍ତୁତ। ଏଭଳି ଏକ ସମ୍ମାନଜନକ ପ୍ରତିଯୋଗିତା ଲାଗି ବିଶ୍ୱର ହକି ପ୍ରଶଂସକମାନଙ୍କୁ ଓଡ଼ିଶା ଅପେକ୍ଷା କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।


ଏଫ୍‌ଆଇଏଚ୍‌ ସଭାପତି ନରେନ୍ଦ୍ର ଧ୍ରୁବ ବାତ୍ରା ୨୦୨୩ ହକି ବିଶ୍ୱ କପ ଆୟୋଜନ ନେଇ ଓଡ଼ିଶା ସରକାରଙ୍କ ସହଯୋଗ ଓ ଉତ୍ସାହକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ସାହ ଭାରତୀୟ ହକିକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେଇଛି। ୨୦୨୩ ପୁରୁଷ ହକି ବିଶ୍ୱ କପ ଆଉ ଏକ ସଫତଳମ ପ୍ରତିଯୋଗିତା ହେବ ବୋଲି ଏଫ୍‌ଆଇଏଚ୍‌ ସଭାପତି ବାତ୍ରା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା, ଓଡ଼ିଶା ହକି ପ୍ରମୋସନ ବୋର୍ଡ ଅଧ୍ୟକ୍ଷ ଅଲିମ୍ପିଆନ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଧ୍ର ନିଗୋମବାମ୍‌ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଓଡ଼ିଶା ସରକାର, ହକି ଇଣ୍ଡିଆର ମିଳିତ ସହଯୋଗରେ ଓଡ଼ିଶାରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି। ପ୍ରତିଯୋଗିତାରେ ଭାରତ ସମେତ ମୋଟ ୧୬ଟି ଦେଶ ଅଂଶଗ୍ରହଣ କରିବେ । ଭୁବନେଶ୍ୱରରେ ପୂର୍ବରୁ ୨୦୧୮ ହକି ବିଶ୍ୱ କପ ଆୟୋଜିତ ହୋଇଥିବାବେଳେ ନୂତନ ଭେନ୍ୟୁ ଭ​‌ାବେ ରାଉରକେଲା ସ୍ଥାନ ପାଇଛି।