ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ , 3 ମୃତ 5 ଆହତ
ଆମେରିକାରେ ପୁଣି ଥରେ ଏକ ବଡ଼ ଧରଣର ଗୁଳିଚାଳନା ଘଟଣା ସାମନାକୁ ଆସିଛି । ଘଟଣାଟି ଆରିଜୋନା ରାଜ୍ୟର ଗ୍ଲେଣ୍ଡାଲେରେ ଘଟିଛି। ସହରର ଏକ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ହେବାରୁ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଆହତ ହୋଇଛନ୍ତି ।
ସ୍ଥାନୀୟ ପୁଲିସ ଅଧିକାରୀ ମୋରୋନି ମେଣ୍ଡେଜ୍ ଘଟଣାସ୍ଥଳରୁ କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ ଏଲ୍ କାମାରନ୍ ଗିଗାଣ୍ଟେ ମାରିସ୍କୋସ୍ ଏବଂ ଷ୍ଟେକହାଉସରେ ଗୁଳିକାଣ୍ଡ ହୋଇଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାରମ୍ଭିକ ସୂଚନା ଅନୁସାରେ ୩ ଜଣ ମୃତ୍ୟୁବରଣ କରିଛନ୍ତି ଓ ୫ ଆହତ ହୋଇଛନ୍ତି । ତେବେ ଆହତମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅଧିକ ସୂଚନା ଉପଲବ୍ଧ ହୋଇନାହିଁ। ଏହି ଗୁଳିକାଣ୍ଡରେ ଏକାଧିକ ବନ୍ଧୁକଧାରୀ ସାମିଲ ଥିବା ପୁଲିସ ସଂଦେହ କରୁଛି । ମାତ୍ର ତଦନ୍ତକାରୀମାନେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିନାହାଁନ୍ତି, କିନ୍ତୁ ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି।
ଆମେରିକାର ବନ୍ଧୁକ ସଂସ୍କୃତି ସାରା ବିଶ୍ବରେ କୁଖ୍ୟାତ । ଏକ ରିପୋର୍ଟ ଅନୁସାରେ, ଗତ ୫୦ ବର୍ଷ ମଧ୍ୟରେ, ଏହି ବନ୍ଧୁକ ସଂସ୍କୃତି ଯୋଗୁଁ ୧୫ ଲକ୍ଷରୁ ଅଧିକ ଆମେରିକୀୟ ପ୍ରାଣ ହରାଇଛନ୍ତି। ଆମେରିକାର ଜନସଂଖ୍ୟା ପ୍ରାୟ ୩୩ କୋଟି କିନ୍ତୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ୪୦ କୋଟିରେ ପହଞ୍ଚିଛି। ଆମେରିକାର ନିୟମ ଅନୁଯାୟୀ, ରାଇଫଲ୍ କିମ୍ବା ଛୋଟ ବନ୍ଧୁକ କିଣିବା ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପାଇଁ ଏହା ୨୧ ବର୍ଷ।