ଖୁବ ଶିଘ୍ର ପରଦାକୁ ଆସିବ ରାଣୀ ମୁଖାର୍ଜୀଙ୍କ ଅଭିନୀତ ‘ମର୍ଦାନୀ-୩’
ୟଶ୍ରାଜ୍ ଫିଲ୍ମସ୍ର ସୁପର୍ହିଟ୍ ଫ୍ରାଞ୍ଚାଇଜ୍ ‘ମର୍ଦାନୀ’ ଗତ ୧୦ ବର୍ଷ ଧରି ଦର୍ଶକଙ୍କ ହୃଦୟ ଜିତି ଆସୁଛି। ହିନ୍ଦୀ ସିନେମାର ସବୁଠାରୁ ବଡ଼ ନାରୀକୈନ୍ଦ୍ରୀକ ଫ୍ରାଞ୍ଚାଇଜ୍ କୁହାଯାଉଥିବା ରାଣୀ ମୁଖାର୍ଜୀଙ୍କ ଅଭିନୀତ ‘ମର୍ଦାନୀ’ କେବଳ ବ୍ଲକ୍ବଷ୍ଟର୍ ହୋଇ ରହିନାହିଁ, ଦର୍ଶକୀୟ ଶ୍ରଦ୍ଧା ହାସଲ କରିବା ସହ ସିନେପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ଛାପ ଛାଡ଼ିଛି। ଫିଲ୍ମର ୨ଟି ଭାଗ ଇତିମଧ୍ୟରେ ରିଲିଜ୍ ହୋଇସାରିଥିବା ବେଳେ ଏବେ ଏହାର ତୃତୀୟ ଭାଗ ରିଲିଜ୍ ହେବାକୁ ଯାଉଛି।
‘ମର୍ଦାନୀ ୨’ର ରିଲିଜ୍ ବାର୍ଷିକୀରେ ୟଶ୍ରାଜ୍ ଫିଲ୍ମସ୍ ଆନୁଷ୍ଠାନିକ ଭାବେ ‘ମର୍ଦାନୀ-୩’ର ରିଲିଜ୍ ସମୟ ଘୋଷଣା କରି ସିନେପ୍ରେମୀଙ୍କୁ ଉପହାର ଦେଇଛି। ୟଶ୍ରାଜ୍ ଫିଲ୍ମସ୍ ଇନ୍ଷ୍ଟା ଆକାଉଣ୍ଟ୍ରେ ‘ମର୍ଦାନୀ-୩’ ବିଷୟରେ ଘୋଷଣା କରାଯାଇ କ୍ୟାପ୍ସନ୍ରେ ଲେଖାଯାଇଛି, ‘‘ଅପେକ୍ଷା ଶେଷ ହେଲା! ରାଣୀ ମୁଖାର୍ଜୀ ‘ମର୍ଦାନୀ-୩’ରେ ଶିବାନୀ ଶିବାଜୀ ରୟ ଭାବରେ ଫେରୁଛନ୍ତି। ୨୦୨୬ ମସିହାରେ ଦେଖାହେବ ପ୍ରେକ୍ଷାଳୟରେ।” ବେଶ୍ କିଛି ଦିନର ବ୍ୟବଧାନ ପରେ ଦର୍ଶକଙ୍କ ସାମ୍ନାକୁ ଫେରୁଥିବା ରାଣୀ କହିଛନ୍ତି ଯେ ‘ମର୍ଦାନୀ-୩’ର ରୋମାଞ୍ଚ ପୂର୍ବ ସମସ୍ତ ଭାଗ ଅପେକ୍ଷା ଢେର୍ ଅଧିକ। ସେ ଆହୁରି କହିଛନ୍ତି, “ଯେତେବେଳେ ଆମେ ‘ମର୍ଦାନୀ-୩’ ନିର୍ମାଣ ବିଷୟରେ ଚିନ୍ତାକଲୁ, ଆମର ଲକ୍ଷ୍ୟ ଥିଲା, ଏପରି ଏକ କାହାଣୀ ଖୋଜିବା, ଯାହା ‘ମର୍ଦାନୀ’ ଫ୍ରାଞ୍ଚାଇଜ୍’କୁ ଆହୁରି ଉଚ୍ଚସ୍ତରକୁ ନେଇଯିବ। ମୁଁ କାହାଣୀକୁ ନେଇ ବହୁତ ଉତ୍ସାହିତ ଏବଂ ଆଶା କରୁଛି ଯେ ଦର୍ଶକମାନେ ଏହାକୁ ଦେଖି ଉତ୍ସାହିତ ହେବେ।”