ଆତଙ୍କୀଙ୍କ ଏଭଳି ଗଣହତ୍ୟାକୁ ଭୀରୁ-କାପୁରୁଷର କାମ – ଓମାର ଅବଦୁଲ୍ଲା

ଜାମ୍ମୁକାଶ୍ମୀରରେ ସରିଲା ସର୍ବଦଳୀୟ ବୈଠକ । ପହଲଗାମ୍  ଆତଙ୍କୀ ହମଲାକୁ ନେଇ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆତଙ୍କବାଦୀ ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିବା ସହ ଆତଙ୍କୀଙ୍କ ଏଭଳି ଗଣହତ୍ୟାକୁ ଭୀରୁ-କାପୁରୁଷର କାମ ବୋଲି କହିଛନ୍ତି । ଏଭଳି ଜଘଣ୍ୟ ଏବଂ ଅମାନବୀୟ ଆକ୍ରମଣକୁ ଆମେ ନିନ୍ଦା କରୁଛୁ ବୋଲି କହିଛନ୍ତି ଓମାର ।

ତେବେ ଭୀରୁଙ୍କ ପରି ଆକ୍ରମଣ କରି ନିରୀହ ଲୋକଙ୍କୁ ହତ୍ୟା କରାଯାଇଛି । ସମାଜରେ ଏଭଳି ଆକ୍ରମଣର ସ୍ଥାନ ନାହିଁ । ଏହି ଆକ୍ରମଣ ଜାମ୍ମୁକାଶ୍ମୀରର ଶାନ୍ତି ଭାଙ୍ଗିବାକୁ କରାଯାଇଛି । ଏହା ଭାରତର ବିଚାରଧାରା ଏବଂ ମୂଲ୍ୟବୋଧ ଉପରେ ଆକ୍ରମଣ ବୋଲି କହି କେନ୍ଦ୍ର ସରକାର ଯାହା ବି ପଦକ୍ଷେପ ନେବେ ତାହାକୁ ଆମେ ସମର୍ଥନ କରିବୁ ବୋଲି କହିଛନ୍ତି ଓମାର ଅବଦୁଲା ।

ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା କାଶ୍ମୀର ଯୁବକ ତଥା ଘୋଡା ଚାଳକଙ୍କୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ । ଘୋଡା ଚାଳକ ସହିଦ ସୟଦ ଆଦିଲ ହୁସେନ ଅନେକ ପର୍ୟ୍ୟଟକଙ୍କ ଜୀବନ ବଞ୍ଚାଇ ପାରିଛନ୍ତି । ନିଜେ ଗୁଳି ଖାଇ ଅନେକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଆତଙ୍କୀଙ୍କ ସହ ଲଢି ପର୍ୟ୍ୟଟକଙ୍କ ଜୀବନ ବଞ୍ଚାଇଥିବାରୁ ତାଙ୍କୁ ଶତ ନମନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a comment