ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ ,୪୮ ଡିଗ୍ରି ଛୁଇଁପାରେ ତାପମାତ୍ରା
ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ସବୁଠି ପାରଦ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ। ଗୋଟିଏ ଦୁଇଟି ସ୍ଥାନରେ ତାତି ୪୮ ଡିଗ୍ରି ଛୁଇଁପାରେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଝାରସୁଗୁଡ଼ା ସମ୍ବଲପୁର , ବୌଦ୍ଧ , ବଲାଙ୍ଗୀର , ସୁନ୍ଦରଗଡ, ନୂଆପଡ଼ା, ବରଗଡ,କଳାହାଣ୍ଡି , ସୁବଣ୍ଣପୁର , ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ .ଯାଜପୁର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ , ପୁରୀ , ଖୋର୍ଦ୍ଧା ,ନୟାଗଡ଼, ଗଞ୍ଜାମ , ଗଜପତି, ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ପାଗ ରହିବାର ସମ୍ଭାବନା ରହିଛି। ସମ୍ବଲପୁର,ସୁନ୍ଦରଗଡ଼, ବଲାଙ୍ଗୀର ଜିଲ୍ଲାରେ ଉଷ୍ମ ରାତି ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ କୋରାପୁଟ , ମାଲକାନଗିରି , ରାୟଗଡ଼ା,କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟାରେ ୩୦ରୁ ୪୦ କିମି ବେଗରେ ପବନ ସହିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପରିସ୍ଥିତିର ଗମ୍ଭୀରତା ଦେଖି ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।ଅନ୍ୟପକ୍ଷରେ ଆଜି ଝାରସୁଗୁଡ଼ାରେ ଏପ୍ରିଲ ମାସର ତାତି ସର୍ବକାଳୀନ ରେକର୍ଡ କରିଛି। ୨୦୧୦ ଏପ୍ରିଲ ୧୯ରେ ସର୍ବକାଳୀନ ରେକର୍ଡ (୪୬.୧ ଡିଗ୍ରି) ରହିଥିଲା। ଆଜି ଏହି ରେକର୍ଡ ଭାଙ୍ଗି ୪୬.୨ ଡିଗ୍ରିରେ ପହଞ୍ଚିଛି। ଆଗାମୀ ତିନି ଦିନ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ। ୨୫ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୮ ଡିଗ୍ରି ମୁହାଁ ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ତାପମାତ୍ରା ୦.୮ ଡିଗ୍ରି ବୃଦ୍ଧିପାଇଛି, ଯାହାକି ସ୍ବାଭାବିକଠାରୁ ୫ ଡିଗ୍ରି ଅଧିକ। ଝାରସୁଗୁଡ଼ା ବ୍ୟତୀତ ହୀରାକୁଦରେ ୪୪.୭, ସମ୍ବଲପୁରରେ ୪୪.୬, ବୌଦ୍ଧରେ ୪୪.୫, ଟିଟିଲାଗଡ଼ରେ ୪୪, ସୁନ୍ଦରଗଡ଼ ଓ ସୋନପୁରରେ ୪୩.୮, ବଲାଙ୍ଗୀରରେ ୪୩.୨, ଭବାନୀପାଟଣା, ବରଗଡ଼ ଓ ରାଉରକେଲାରେ ୪୨.୮, ଅନୁଗୁଳରେ ୪୨.୩, ନୂଆପଡ଼ାରେ ୪୨, ତାଳଚେରରେ ୪୦.୬ ଓ ପାରଳାଖେମୁଣ୍ଡିରେ ୪୦ ଡିଗ୍ରି ରହିଥିଲା।