ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ କ୍ରୀଡା ମନ୍ତ୍ରୀ । ପ୍ରାୟ ୨୦ ଫୁଟ୍ ଗଭୀର ପାଣିରେ ବୁଡି ଚେସ୍ ଖେଳିଛନ୍ତି । ପାଣି ଭିତରେ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା ଚେସ୍ ଖେଳ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଗଡଗଡିଆ ଘାଟ ନିକଟ ମହାନଦୀରେ । ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ଦିନ କଟକ ଗସ୍ତ ସମୟରେ ବୋଟିଂ କ୍ଲବ ନିକଟରେ ମହାନଦୀ ଜଳରାଶିରେ ସ୍କୁବା ଡ୍ରାଇଭିଂ କରିବା ସହ ଚେସ ଖେଳିବାର ମଜା ନେଇଥିଲେ ।
ପ୍ରାୟ ୩୫ ମିନିଟ୍ରେ ଦୁଇ ରାଉଣ୍ଡ ଚେସ୍ ଖେଳି ବାଜିମାତ୍ କରିଥିଲେ ସୂରଜ ସୂର୍ଯ୍ୟବଂଶୀ । ମହାନଦୀରେ ସ୍କୁବା ଡାଇଭର ସବୀର ବକ୍ସଙ୍କ ନେତୃତ୍ଵରେ ଦୁଃସାହସିକ ଜଳକ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏଥିରେ ଯୋଗ ଦେଇଥିଲେ କ୍ରୀଡ଼ା ମନ୍ତ୍ରୀ । ରାଜ୍ୟର ୨୯ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଉଥିବା ବେଳେ ସେଠାରେ ପହଞ୍ଚି ପ୍ରତିଯୋଗୀଙ୍କୁ କ୍ରୀଡ଼ାମନ୍ତ୍ରୀ ଉତ୍ସାହିତ କରିଥିଲେ ।