ଆସନ୍ତାକାଲି ଭୁବନେଶ୍ୱରର ଜନ୍ମଦିନ
ଆସନ୍ତାକାଲି (ଏପ୍ରିଲ ୧୩)ରେ ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ। ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ବିଏମସି ପକ୍ଷରୁ ପ୍ରତି ୱାର୍ଡକୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ୧୩ ଓ ୧୪ ଦୁଇଦିନ ପାଳିତ ହେବ।
୧୩ ତାରିଖ ସକାଳ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମୁଖ୍ୟ ଅତିଥି ଭାବେ ମାଲ୍ୟାର୍ପଣ କରିବେ ବାଚସ୍ପତି ସୁରମା ପାଢ଼ୀ ଓ ଅନ୍ୟାନ୍ୟ ଅତିଥି। ସେ ମଧ୍ୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜୟଦେବ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଭୁବନେଶ୍ବର ମହାନଗର ନିଗମ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀର ଉଦ୍ଘାଟନ ହେବା ସହ ରବିନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ଛକ ପର୍ଯ୍ୟନ୍ତ ବେସାମରିକ ପ୍ୟାରେଡ଼୍ ପ୍ରଦର୍ଶନ କରାଯିବ।