ବିଜେଡିରେ ଯୋଗ ଦେଇଥିବା ନୂଆ ନେତାଙ୍କୁ ଜଣା ନାହିଁ ଦଳର ଇତିହାସ – ଦେବାଶିଷ ସାମନ୍ତରାୟ

ବିଜେଡି ଭିତରେ ଏବେ ପୂରା ଗୋଳମାଳିଆ ସ୍ଥିତି। ୱାକଫ୍ ବିଲକୁ ନେଇ ସସ୍ମିତଙ୍କ ସମର୍ଥନ ପରେ ଦଳରେ କମ୍ପନ ସୃଷ୍ଟି ହୋଇଛି। ଯୁବ ନେତା ଓ ବରିଷ୍ଠ ନେତାମାନେ ଅଲଗା ଅଲଗା ଭାବେ ବୈଠକ କରିବା ନେଇ ଚର୍ଚ୍ଚା ହେଉଥିବାବେଳେ ମୁହଁ ଖୋଲିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ଦେଇଛନ୍ତି  ବିସ୍ଫୋରକ ବୟାନ । କହିଲେ, ବିଜେଡିରେ ଯୋଗ ଦେଇଥିବା ନୂଆ ନେତାଙ୍କୁ ଜଣା ନାହିଁ ଦଳର ଇତିହାସ । ସେମାନେ ନବୀନ ବାବୁ ଏବଂ ବିଜୁ ବାବୁଙ୍କ ଆଦର୍ଶ ମଧ୍ୟ ଜାଣି ନାହାନ୍ତି । ସେମାନେ କାହା ଇସାରାରେ ପରିଚାଳିତ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦେବାଶିଷ । ସ୍ବାଭିମାନ ନଥିବା ସ୍ବାର୍ଥବାଦୀମାନେ ଦଳର ନୁହେଁ କି ଓଡ଼ିଶାର ନୁହେଁ ବୋଲି କହିଛନ୍ତି ଦେବାଶିଷ । ସେପଟେ ଦଳ ପରାଜୟ ପଛର କାରଣ ମଧ୍ୟ ସେ କହିଛନ୍ତି। ଓଡ଼ିଆ ଅସ୍ମିତା ପାଇଁ ଦଳ ହାରିଲା । ହେଲେ ଅସ୍ମିତା ରକ୍ଷା କରିବା ଆମ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଦେବାଶିଷ ।

ୱାକଫ୍ ବିଲକୁ ନେଇ ବିଜେଡିରେ କନ୍ଦଳ ଚାଲିଥିବା ବେଳେ ଏକାଠି ହେଲେ ବରିଷ୍ଠ ନେତା । ଭୁବନେଶ୍ବର ପଟିଆ ସ୍ଥିତ କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ହୋଇଥିଲା ମେଳି । ବୈଠକରେ ଶଶୀଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକ ଚାଲିଥିବା ବେଳେ ହୋଟେଲ ଭିତରକୁ ବାହାର ଲୋକଙ୍କୁ ବାରଣ କରାଯାଇଥିଲା । ତେବେ ବୈଠକ ପରେ ବଡ଼ ବୟାନ ରଖିଛନ୍ତି ବରିଷ୍ଠ ନେତା । ନବୀନଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଛଡ଼ାଯିବନି ବୋଲି କହିଛନ୍ତି ଶଶିଭୂଷଣ ବେହେରା।

ଗୋଟେ ପରେ ବିଜେଡିର ବରିଷ୍ଠ ନେତା ହୋଟେଲରେ ମେଳି କରିଥିବା ବେଳେ ଅନ୍ୟପଟେ ପ୍ରତାପ ଦେବଙ୍କ ଘରେ ଏକାଠି ହୋଇଛନ୍ତି ଅନ୍ୟ ଗୋଷ୍ଠୀର ନେତା । ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଦେବୀ ମିଶ୍ର ଏବଂ ପ୍ରଣବ ପ୍ରକାଶ ଦାସ । ଯାହାକୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେଡିର ଯୁବ ନେତା ସନ୍ଧ୍ୟାରେ ନବୀନଙ୍କୁ ଭେଟିବାର ସୂଚନା ରହିଛି ।

Leave a comment