ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ନିକଟରେ ବିଳମ୍ବିତ ରାତିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା, ଜଣେ ମୃତ 20 ଆହତ
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ନିକଟରେ ବିଳମ୍ବିତ ରାତିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଂଲାଦେଶରୁ ପୁରୀ ଆସୁଥିଲା ଯାତ୍ରୀବାହୀ ବସ୍ । ଏଥିରେ ୬୦ରୁ ଅଧିକ ଯାତ୍ରୀ ଥିଲେ। ବାଂଲାଦେଶର ବ୍ରାହ୍ମଣବାଡ଼ି ଓ ଚଟଗ୍ରମ ଜିଲ୍ଲାରୁ ଏହି ଯାତ୍ରୀମାନେ ପୁରୀ ଆସୁଥିଲେ । ଏମାନେ ଶ୍ରୀଜଗନ୍ନାଥ ଦର୍ଶନ ପରେ ବିଶ୍ଵନାଥ ଦର୍ଶନ କରିବାର ଯୋଜନା ରହିଥିଲା। ଦୁଇଟି ବସରେ ୧୪୦ ଜଣ ଯାତ୍ରା କରୁଥିଲେ । ଏହି ତୀର୍ଥଯାତ୍ରୀମାନେ ଇତିମଧ୍ୟରେ ଅଯୋଧ୍ୟା, ଦ୍ବାରକା ଆଦି ଅଞ୍ଚଳ ବୁଲି ଶେଷରେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଉଥିଲେ । ହେଲେ ସିଫା ନିକଟରେ ଦ୍ବିତୀୟ ବସର ଡ୍ରାଇଭର ଗାଡି ଚଳାଉଥିବା ସମୟରେ ହିଁ ଶୋଇପଡ଼ିଥିଲେ । ଫଳରେ ବସଟି ବାମ ପାଖରେ ଥିବା ଖାତକୁ ଖସିପଡ଼ିଥିଲା । ଲୋକମାନେ ଚାପି ହୋଇ ଚିତ୍କାର କରିଥିଲେ । ତୁରନ୍ତ ଅନ୍ୟ ବସ୍ର ଯାତ୍ରୀ, ସ୍ଥାନୀୟ ଲୋକେ, ପୁଲିସ ଆଦି ମିଶି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିବା ସହ ଆହତଙ୍କୁ ହସ୍ପିଟାଲ ପଠାଇବାକୁ ଉଦ୍ୟମ କରିଥିଲେ । ବାଟରେ ଜଣେ ଆହତଙ୍କର ମୃତ୍ୟୁ ହୋଇଥିଲା । କିଛି ଯାତ୍ରୀଙ୍କ ଅବସ୍ଥା ଅତି ଗୁରୁତର ରହିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାରକାର୍ୟ୍ୟ ଜାରି ରଖିଛି । ସ୍ଥାନୀୟ ଲୋକ ଉଦ୍ଧାରକାର୍ୟ୍ୟରେ ସହାୟତା କରୁଛନ୍ତି ।