ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ସେତୁ ‘ପମ୍ବନ’ କୁ ଉଦଘାଟିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ସେତୁ ‘ପମ୍ବନ’ ଉଦ୍ଘାଟିତ ହୋଇଯାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର ରାମେଶ୍ଵରମରେ ୫୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ପମ୍ବନ ସେତୁକୁ ଉଦ୍ଘାଟନ କରିଛନ୍ତି। ଏହା ସହିତ ସେ ରାଜ୍ୟରେ ଆହୁରି ଅନେକ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ପୂର୍ବରୁ ଭାରତୀୟ ରେଳବାଇ ଏହି ନୂତନ ରେଳ ବ୍ରିଜର ଏକ ସୁନ୍ଦର ଭିଡିଓ ଜାରି କରିଥିଲା।
୨.୦୮ କିଲୋମିଟର ଲମ୍ବା ଏହି ସେତୁ ଭାରତର ତାମିଲନାଡୁର ରାମେଶ୍ୱରମ ସହ ମଣ୍ଡପମକୁ ସଂଯୋଗ କରେ । ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର, ୨୦୧୯ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭବିଷ୍ୟତକୁ ଆଖି ଆଗରେ ରଖି, ଏହାକୁ ଡବଲ୍ ଟ୍ରାକ୍ ଏବଂ ହାଇ-ସ୍ପିଡ୍ ଟ୍ରେନ୍ ପାଇଁ ଡିଜାଇନ୍ କରାଯାଇଛି । ଷ୍ଟେନଲେସ୍ ଷ୍ଟିଲରେ ତିଆରି ଏହି ନୂତନ ସେତୁ ଉପରେ ପଲିସିଲୋକ୍ସେନ ଆବରଣ ଦିଆଯାଇଛି, ଯାହା ଏହାକୁ କଳଙ୍କି ଏବଂ ସମୁଦ୍ରର ଲୁଣିଆ ପାଣିରୁ ରକ୍ଷା କରିବ । ପୁରୁଣା ସେତୁଟି କଳଙ୍କି ଲାଗିବା ଯୋଗୁଁ ୨୦୨୨ ମସିହାରେ ବନ୍ଦ କରାଯାଇଥିଲା। ଏହା ପରେ ରାମେଶ୍ୱରମ୍ ଏବଂ ମଣ୍ଡପମ୍ ମଧ୍ୟରେ ରେଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହି ସେତୁର ଉଦଘାଟନ ପରେ, ପ୍ରଧାନମନ୍ତ୍ରୀ ରାମେଶ୍ୱରମର ରାମନାଥସ୍ୱାମୀ ମନ୍ଦିର ପରିଦର୍ଶନ କରିବେ ଏବଂ ପୂଜା କରିବେ।
ରାମାୟଣ ଅନୁସାରେ, ରାମସେତୁର ନିର୍ମାଣ ରାମେଶ୍ୱରମ୍ ନିକଟସ୍ଥ ଧନୁଷକୋଡିରୁ ଆରମ୍ଭ ହୋଇଥିଲା। ଏହି କାରଣରୁ ଏହା ବିଶ୍ୱାସ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦି ରାମନବମୀରେ ଏହାକୁ ଉଦଘାଟନ କରୁଛନ୍ତି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ରାଜ୍ୟରେ ୮୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ।