ବୋଲେରୋକୁ  ଧକ୍କା ଦେଲା ହାଇୱା , ଘଟଣାସ୍ଥଳରେ ଚାଲିଗଲା ୩ ବିଦ୍ୟୁତ କର୍ମଚାରୀଙ୍କ ଜୀବନ

ବୋଲେରୋକୁ  ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ ଚାଲିଗଲା ୩ ବିଦ୍ୟୁତ କର୍ମଚାରୀଙ୍କ ଜୀବନ ।   ଦୁଇ ଜଣ ଆହତ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ।  ସମ୍ବଲପୁର -ସୁବର୍ଣ୍ଣପୁର ରାସ୍ତାର ଉଲୁଣ୍ଡା ଥାନା ମାଟୁପାଲି ଛକରୁ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି  । ୫ଜଣ ବିଦ୍ୟୁତ କର୍ମଚାରୀ ବୋଲେରୋ ଯୋଗେ ଫେରୁଥିବା ବେଳେ ସାମ୍ନାରୁ ଧକ୍କା ଦେଇଥିଲା ଏକ ହାଇୱା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ବୋଲେରୋ ଗାଡ଼ିଟି  ଭାଙ୍ଗି ଚୁରମାର ହୋଇଯାଇଛି ।  ଘଟଣା ସ୍ଥଳରେ ହିଁ ୩ଜଣ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।

ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।   ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ  ପହଁଚି ମୃତଦେହ ଉଦ୍ଧାର କରିବା ସହ ଦୁଇ ଗାଡିକୁ ଜବତ କରି ଅଧିକ ତଦନ୍ତ କରୁଛି। ସେପଟେ ଝିଅ ଦେଖିବାକୁ ଯାଇ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ।  କେନାଲ ପାଣିରେ କାର ପଶିଯିବାରୁ ବାପ- ପୁଅଙ୍କ ମୃତ୍ୟୁ ଓ ୩ ଜଣ ଗୁରୁତର । କଳାହାଣ୍ଡି ଜିଲ୍ଲା ଜୟପାଟଣା ନିକଟ ଠେଲକୋମୁଣ୍ଡା ନିକଟରେ ଘଟିଛି ଏହି ଅଘଟଣ  । ମୃତକ ହେଲେ ରେଙ୍ଗାଲପାଳି ଗାଁର ଲାଲଧର ରାଉତ ଓ ତାଙ୍କର ୫ ବର୍ଷର ପୁଅ । ସୂଚନା ଅନୁସାରେ ରେଙ୍ଗାଲପାଳି ଗାଁର ବଳଦେବ ରାଉତଙ୍କ ପରିବାରର ୧୧ଜଣ କଲମପୁର ବ୍ଲକର ନୂଆଗାଁକୁ ଝିଅ ଦେଖିବାକୁ ଯାଇଥିଲେ।

ଝିଅ ଦେଖି କାର ଯୋଗେ ଫେରିବା ବେଳେ ଠେଲକୋମୁଣ୍ଡା ନିକଟରେ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।   ବାଇକ-କାର ମୁହାଁମୁହିଁ ଧକ୍କା ପରେ ଭାରସାମ୍ୟ ହରାଇ କାରଟି ଠେଲକୋମୁଣ୍ଡା ଦେଇ ଯାଇଥିବା ବାମ କେନାଲ ଭିତରେ ପଶିଯାଇଥିଲା ।  ସ୍ଥାନୀୟ ଲୋକ କାରରୁ ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ୫ ବର୍ଷର ଶିଶୁ ନିଖୋଜ ହୋଇଯାଇଥିଲା ।  ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ନାବାଳକର ମୃତଦେହ ଉଦ୍ଧାର କରିଥିଲା ।  ଆହତମାନଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Leave a comment