କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କଲେ ବାଚସ୍ପତି

ସପ୍ତାହେରୁ ଅଧିକ ଦିନ ଧରି ଗୃହ ଚଳାଇ ଦେଲେନି ବିରୋଧୀ କଂଗ୍ରେସ ବିଧାୟକ । ବାଚସ୍ପତି ବାରମ୍ବାର ନିବେଦନ କଲେ, ଶେଷରେ ଉପବାଚସ୍ପତି ରୁଲିଂ ବି ଦେଲେ । ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ଵେ ଗୃହ କାର୍ଯ୍ୟକୁ କଂଗ୍ରେସ ବିଧାୟକ ବାରମ୍ବାର ଅଚଳ କଲେ । ଗୃହରେ ବିଶୃଙ୍ଖଳିତ ଆଚରଣ ଲାଗି କଂଗ୍ରେସର ୧୨ ବିଧାୟକଙ୍କୁ ବାଚସ୍ପତି, ବିଧାନସଭାରୁ ୭ କାର୍ଯ୍ୟ ଦିବସ ପାଇଁ ନିଲମ୍ବିତ କରିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସହ ବିଧାୟକ ସିଏସ୍ ରାଜନ ଏକ୍କା, ଦାଶରଥୀ ଗମାଙ୍ଗୋ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗୋ, ସାଗର ଦାସ, ମଙ୍ଗୁ ଖିଲ, ସୋଫିଆ ଫିର୍ଦ୍ଦୋସ, ପବିତ୍ର ସାଉନ୍ତା, କାଡରାମ ଆପଲସ୍ୱାମୀ, ନୀଳମାଧଵ ହିକକା. ପ୍ରଫୁଲ୍ଲ ପ୍ରଧାନଙ୍କୁ ଗୃହ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ସରକାରୀ ଦଳ ମୁଖ୍ୟ ସଚେତକ ନିଲମ୍ବନ ପାଇଁ ରୁଲିଂ ଆଣିଥିଲେ । କଂଗ୍ରେସର ମୋଟ ୧୪ ଜଣ ବିଧାୟକଙ୍କ ମଧ୍ୟରୁ ଗୃହରେ ବିଶୃଙ୍ଖଳିତ ଆଚରଣ ଲାଗି ୧୨ ଜଣଙ୍କ ବିରୋଧରେ ବାଚସ୍ପତି ପଦକ୍ଷେପ ଗ୍ରହଣ କରିଛନ୍ତି । କଂଗ୍ରେସର ତାରା ବାହିନୀପତି ଓ ରମେଶ ଜେନାଙ୍କୁ ଛାଡ଼ି ୧୨ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି । ଏହା ପୂର୍ବରୁ ବିଶୃଙ୍ଖଳିତ ଆଚରଣ ଓ ମନ୍ତ୍ରୀ ଉତ୍ତର ଦେଉଥିବା ବେଳେ ବାଧା ଦେବାରୁ ତାରା ବାହିନୀପତିଙ୍କୁ ବାଚସ୍ପତି ୭ ଦିନ ପାଇଁ ନିଲମ୍ବିତ କରିଥିଲେ ।