ପଞ୍ଚଭୂତରେ ବିଲୀନ ହେଲେ ଦେବେନ୍ଦ୍ର ପ୍ରଧାନ

ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଆଉ ଏକ ଯୁଗର ଅନ୍ତ ହୋଇଛି । ଦୀପ ଭଳି ଜଳି ଜଳି ସମାଜକୁ ଆଲୋକିତ କରୁଥିବା ଦେବେନ୍ଦ୍ର ପ୍ରଧାନ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ଵର୍ଗଦ୍ଵାରରେ ସମ୍ପନ୍ନ ହୋଇଛି ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ । ଶେଷକୃତ୍ୟ ପୂର୍ବରୁ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ଦିଆ ଯାଇଥିଲା । ଦେବେନ୍ଦ୍ରଙ୍କ ଅନ୍ତିମ ସଂସ୍କାରରେ ଯୋଗ ଗୁରୁ ବାବା ରାମଦେବଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏକାଧିକ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ରହିଥିଲେ । ରାଜ୍ୟ ବାହାରର ଅନେକ ନେତା ବି ସାମିଲ୍ ହୋଇଥିଲେ । ଲୋକାରଣ୍ୟ ହୋଇ ଉଠିଥିଲା ସ୍ଵର୍ଗଦ୍ଵାର । ସମସ୍ତଙ୍କ ଲୋତକରେ ଝରି ଆସୁଥିଲା ଲୁହ । ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ଏକାଠି ହୋଇଥିବା ଜନଗଣ । ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ୍ ହୋଇଥିଲେ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟରେ ।

ମଙ୍ଗଳବାର ସକାଳୁ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନରୁ ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀରକୁ ପୁରୀ ଅଭିମୁଖେ ନିଆ ଯାଇଥିଲା । ଦେବେନ୍ଦ୍ରଙ୍କ ଶେଷ ଯାତ୍ରାରେ ସାମିଲ୍ ହୋଇଥିଲେ ହଜାର ହଜାର ଲୋକ । ପାର୍ଥିବ ଶରୀରକୁ ପୁରୀ ନେବା ରାସ୍ତାରେ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଲୋକେ ।