ଆଇସିସି ଚାମ୍ପିଅନ୍ସ ଟ୍ରଫିର ଦ୍ବିତୀୟ ସେମିଫାଇନାଲ : ନ୍ୟୁଜିଲାଣ୍ଡ୍‌ ଭେଟିବ ଦକ୍ଷିଣ ଆଫ୍ରିକାକୁ

ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଦ୍ବିତୀୟ ସେମିଫାଇନାଲରେ ବୁଧବାର ନ୍ୟୁଜିଲାଣ୍ଡ୍‌ ଭେଟିବ ଦକ୍ଷିଣ ଆଫ୍ରିକାକୁ। ନ୍ୟୁଜିଲାଣ୍ଡ୍‌ ଗ୍ରୁପ୍‌  ‘ଏ’ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ୍ ଆସିଥିବା ବେଳେ ଦକ୍ଷିଣ ଆଫ୍ରିକା ଗ୍ରୁପ୍ ଟପ୍ପର ଭାବେ ଆତ୍ମବିଶ୍ବାସରେ ରହିଛି। ଗ୍ରୁପ୍ ପର୍ଯ୍ୟାୟର ଶେଷ ଲିଗ୍ ଖେଳିବାକୁ ଦୁବାଇ ଗସ୍ତ କରିଥିବା ନ୍ୟୁଜିଲାଣ୍ଡ୍‌ ଦଳ ଏବେ ନିଜର ଲକି ଗ୍ରାଉଣ୍ଡ୍‌ ଲାହୋରକୁ ଫେରିଥିବାରୁ ବି ଆତ୍ମପ୍ରସନ୍ନ ରହିଛି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ପାକିସ୍ତାନକୁ ମଧ୍ୟ ଏକ ୱାର୍ମ ଅପ୍‌ ମ୍ୟାଚ୍‌ରେ ହରାଇଥିଲା। ଏହି ପଡ଼ିଆରେ ଦଳ ପାଇଁ ସକାରାତ୍ମକ ଭାବନା ଜଡ଼ିତ ଥିବାରୁ ଆମ ଅଭିଜ୍ଞତା ମଧ୍ୟ ଉପ‌ଯୋଗୀ ସାବ୍ୟସ୍ତ ହେବ ବୋଲି ଦଳର ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ୍ ପ୍ରକାଶ କରିଛନ୍ତି। ଦୁବାଇର ସ୍ପିନ୍ ଆଧିପତ୍ୟ ପିଚ୍‌ରେ ଆମ ୩ ଜଣିଆ ପେସ୍ ବାହିନୀ ଭାରତକୁ ୨୪୯/୯ରେ ରୋକିଥିବାରୁ ଆମେ ବି ଏଠାରେ ସେହି ୩ ଜଣଙ୍କୁ ନେଇ ଖେଳିବୁ ବୋଲି ଷ୍ଟିଡ୍ ସ୍ପଷ୍ଟ କରିଛନ୍ତି। ଲାହୋରରେ ବିଗତ ଦୁଇଟି ବିଜୟ ହାସଲ କରିବାବେଳେ ନ୍ୟୁଜିଲାଣ୍ଡ୍‌ ଉଭୟ ଥର ୩୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକା କିନ୍ତୁ ଏକ ଭିନ୍ନ ଦଳ ବୋଲି ଷ୍ଟିଡ୍‌ ସ୍ବୀକାର କରିଛନ୍ତି।