ପରଲୋକରେ ସୁପରଷ୍ଟାର ଉତ୍ତମ ମହାନ୍ତି
ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। କିଛିଦିନ ହେଲା ସେ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ। ୬୬ବର୍ଷ ବୟସରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ଉତ୍ତମ ମହାନ୍ତି ।
ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କୁ କିଛି ଦିନ ପୂର୍ବରୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ କିଛିଦି ପୂର୍ବରୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ବାବୁସାନ୍ ଫିଲ୍ମସର ନୂଆ ସିନେମା ‘ବୋଉ ବୁଟୁ ଭୂତ’ର ସୁଟିଂ ଚାଲିଥିବା ବେଳେ ଉତ୍ତମ ମହାନ୍ତି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଉତ୍ତମ ମହାନ୍ତି ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କ ସହ ଅଭିନୟ କରିଛନ୍ତି। ଏଥିରେ ଅର୍ଚ୍ଚିତା ନାୟିକା ଭୂମିକାରେ ନଜର ଆସିବେ।
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉତ୍ତମ ମହାନ୍ତି ଏକ ଜଣାଶୁଣା ନାମ। ସେ ୧୯୫୮ ଡିସେମ୍ବର ୨୩ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ବାରିପଦାରେ ହିଁ ତାଙ୍କର ହାଇସ୍କୁଲ ଓ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ହୋଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ସେ ବିବାହ କରିଥିବା ବେଳେ ଏକମାତ୍ର ପୁଅ ବାବୁସାନ ହେଉଛନ୍ତି ଜଣେ ସଫଳ ଅଭିନେତା।