୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଅଭାଭାଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର ଲୋକଙ୍କ ପାଇଁ କାମ କରିବାକୁ ଅନବରତ ଚେଷ୍ଟା କରୁଛି।ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ କରିବା ଦ୍ବାରା ପୁଞ୍ଜିନିବେଶ ଲାଗି ବାଟ ଫିଟିଛି । ୧୬ ଲକ୍ଷ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହେବ । ଯାହା ଫଳରେ ରାଜ୍ୟରେ ନିଯୁକ୍ତି ବଢିବ । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ନେଇ ଆଶାବାଦୀ ରହିଛୁ। ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ଲକ୍ଷ୍ୟ ରଖିଛୁ। ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜି ନିବେଶ କରି ବିକାଶ କରିବୁ। ଓଡ଼ିଶାକୁ ବିକଶିତ କରିବା ଦିଗରେ ଆମେ କାମ କରୁଛୁ। ଏଥି ସହିତ ଆମେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛୁ । ସହରୀକରଣ ଯୋଜନା ଅଭିବୃଦ୍ଧିର ଇଞ୍ଜିନ କରିବୁ । ଚାଷୀଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ବନ୍ଦର ଭିତ୍ତିକ ବିକାଶ ଦିଗରେ ଆମେ କାମ କରୁଛୁ । ଆମ ସରକାର ନୂଆ ଶିଳ୍ପ ଦିଗରେ ଅଗ୍ରସର ହେଉଛନ୍ତି।

ସେପଟେ ଚଳିତ ବଜେଟରେ କୃଷି ପାଇଁ ୩୭,୮୦୦ କୋଟି ବ୍ୟୟ ଅଟକଳ କରାଯାଇଛି। ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ଗ୍ରାମାଞ୍ଚଳରେ ରହନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ। ସେଥିପାଇଁ କୃଷି କ୍ଷେତ୍ରକୁ ଅଧିକ ଫୋକସ୍‌ କରାଯାଇଛି।  ସିଏମ୍‌ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି ରହିଥିବା ବେଳେ ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି, ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି। ମିଲେଟ ପାଇଁ ଏମ୍‌ଏସ୍‌ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗ ପାଇଁ ୨୯୩ କୋଟି,ଓୟୁଏଟି ପାଇଁ ୫୧୧ କୋଟି ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଜରିଆରେ ୬୫୦ କୋଟି ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ଉପରେ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ୨୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାଦ୍ବାରା ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ସ୍ଥାପନ ହୋଇପାରିବ।