ରାଜ୍ୟରେ ମହିଳା ଓ ଶିଶୁ ନିଖୋଜର ଉଦବେଗ ଜନକ ଚିତ୍ର ବିଧାନସଭାରୁ ଆସିଛି । ୨୦୨୦ରୁ ୨୦୨୪ ଗତ ୪ ବର୍ଷ ମଧ୍ୟରେ ରାଜ୍ୟରୁ ୩୬ ହଜାର ୪୨୦ ଜଣ ମହିଳା ନିଖୋଜ ହୋଇଥିବା ବେଳେ ୮ ହଜାର ୪୦୩ ଜଣ ଶିଶୁ ବି ଗାଏବ ହୋଇ ଯାଇଛନ୍ତି । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କେବଳ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି ତା ନୁହେଁ ରାଜ୍ୟ ବାହାରକୁ ମହିଳା ଓ ନାବାଳିକା ଚାଲାଣ ମଧ୍ୟ କରାଯାଉଛି । ୪ ବର୍ଷରେ ୪୨୧ ମହିଳା ଓ ବାଳିକାଙ୍କୁ ଚାଲାଣ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ୪୫୩ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଶିଶୁ ଶ୍ରମିକ ଭାବେ ନିୟୋଜିତ ୭୪୮ ଜଣଙ୍କୁ ଉଦ୍ଧାର କରାଯାଇଛି । ମହିଳା ଚାଲାଣ ନେଇ ଏଫଆଇଆର୍ ପଞ୍ଜୀକୃତ କରିବା ସହ ଖୋଜିବା ଲାଗି ପଦକ୍ଷେପ ନିଆଯାଉଛି । ୨୦୨୦ରୁ ୨୦୨୪ ଡିସେମ୍ବର ସୁଦ୍ଧା ପୋଲିସ ୧୪୧୭ ଜଣ ମହିଳା ଓ ୧୮୫୭ ଜଣ ଶିଶୁଙ୍କୁ ଖୋଜି ଉଦ୍ଧାର କରିଛି । ଚାଲାଣ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ମୋଟ ୩୬ଟି IAHTU ସୃଷ୍ଚି ହୋଇଛି ।
ମାନବ ଚାଲାଣ ରୋକିବା ପାଇଁ ଆମ ପୋଲିସ ସମିତି ବୈଠକ ସମୟରେ ପୋଲିସ ଷ୍ଟେସନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ମହିଳା ଓ ଶିଶୁଙ୍କ ଅବୈଧ ଚାଲାଣ ରୋକିବା ପାଇଁ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଆଦି ଅଞ୍ଚଳରେ ପାଟ୍ରୋଲିଂ କରାଯାଉଛି । ବଲାଙ୍ଗିର, ନୂଆପଡ଼ା, ବରଗଡ଼, କଳାହାଣ୍ଡି, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର IAHTUକୁ ଯୋଗାଯୋଗ ବିନ୍ଦୁ କରାଯାଇଛି । ଏମାନେ ଆରପିଏଫ୍ ଓ ଜିଆରପି ସହ ସମନ୍ଵୟ ରକ୍ଷା କରିବେ ।